ଆଉ ଏକ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ

102

କନକ ବ୍ୟୁରୋ :  ଚନ୍ଦ୍ରଯାନର ସଫଳତାର ଉତ୍ସାହ ଏଯାଏଁ ଯାଇନି । ଏହାଭିତରେ ଆଉ ଏକ ଖୁସିର କାରଣ ଦେଶବାସୀଙ୍କୁ ଦେଇଛି ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ସ୍ୱତନ୍ତ୍ର ଯାନର ସଫଳ ଉତକ୍ଷେପଣ କରାଯାଇଛି । ଆଦିତ୍ୟ-ଏଲ-ୱାନ ଯାନର ସଫଳ ଉତକ୍ଷେପଣ ପରେ ଆଗକୁ ଆଗକୁ ବଢ଼ିଚାଲିଛି । ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଂଟରର ଦ୍ୱିତୀୟ ଲଂଚ ପ୍ୟାଡରୁ ପିଏସଏଲଭି-ସି ଫିଫ୍ଟଟି ସେଭେନ୍ ଜରିଆରେ ଆଦିତ୍ୟ-ଏଲ-ୱାନକୁ ପଠାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସଫଳ ଉତକ୍ଷେପଣ କରାଯାଇଛି । ପୁରା ଦେଶବାସୀ ଟିଭି ପରଦାରେ ଏହି ଐତିହାସିକ ମୂହୂର୍ତର ସାକ୍ଷୀ ପାଲଟିଥିଲେ ।

ଠିକ୍ ଦିନ ୧୧.୫୦ରେ ପିଏସଏଲଭି ଉପରକୁ ଉଠିଥିଲା । ଏହାପରେ ଏକ ଘଂଟା ୩ ମିନିଟ ପାଇଁ ପୁରା ପକ୍ରିୟା ଜାରି ରହିଥିଲା । ଉତକ୍ଷେପଣର ୨୫ ମିନିଟ୍ ପରେ ପିଏସ-୪କୁ ୩୦ ସେକେଣ୍ଡ ପାଇଁ ପ୍ରଜ୍ୱଳନ କରାଯାଇଥିଲା । ଆଉ ଏହାର ୨୬ ମିନିଟ ପରେ ପିଏସ-୪କୁ ପୁଣି ୮ ମିନିଟ ପାଇଁ ପ୍ରଜ୍ୱଳନ କରାଯାଇଥିଲା । ଉତକ୍ଷେପଣ ଠିକ୍ ୬୩ ମିନିଟ ପରେ ଆଦିତ୍ୟ-ଏଲ ୱାନ ଏହାର ଅରବିଟରେ ସ୍ଥାପିତ ହୋଇଥିଲା । ଏହାପରେ ଆଗକୁ ଯାତ୍ରା ଜାରି ରଖିଛି ସୂର୍ଯ୍ୟ ଯାନ । ଆଉ ଏହି ଖୁସିଖବର ପୂରା ଦେଶବାସୀଙ୍କୁ ଜଣାଇଥିଲେ ଇସ୍ରୋ ଚେୟାରମ୍ୟାନ ସୋମନାଥ ।

ଆଦିତ୍ୟ ଏଲ-୧ର ମୋଟ ଓଜନ ୧ ହଜାର ୪୮୦ କେଜି ୭ ଶହ ଗ୍ରାମ୍ । ୧୪ଟନରୁ ଅଧିକ ଓଜନର ଏହି ସୂର୍ଯ୍ୟ ଅଭିଯାନକୁ କକ୍ଷପଥରେ ସ୍ଥାପନ କରାଯାଇସାରିଥିବା ବେଳେ ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଆହୁରି ୪ ମାସ ସମୟ ଲାଗିବ । ବିଭିନ୍ନ ପର୍ଯ୍ୟାୟ ଓ ସ୍ତର ଅତିକ୍ରମ କରି ଆଦିତ୍ୟ ଯାନ ୧୨୫ ଦିନ ଗତିକରିବ । ଏହାପରେ ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟ ଦୂରରେ ଥିବା ଲାଗରେଂଜ ପଏଂଟ ଏଲ-୧ରେ ହାଲୋ ଅରବିଟରେ ପହଂଚିବ । ଆଦିତ୍ୟ ଯାନର ସଫଳ ଉତକ୍ଷେପଣକୁ “ସନସାଇନ୍ ମୋମେଂଟ’ ବୋଲି କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ।

ଭାରତର ଏହା ପ୍ରଥମ ସୂର୍ଯ୍ୟ ଅଭିଯାନ । ଇସ୍ରୋର ସଫଳତା ପାଇଁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ ନିଜ ଟୁଇଟର ଆକାଉଂଟରେ ଲେଖିଛନ୍ତି, ଆମର ବୈଜ୍ଞାନିକଙ୍କ ନିରବଛିନ୍ନ ଉଦ୍ୟମ ବିଶ୍ୱବ୍ରହ୍ମାଣ୍ଡକୁ ବୁଝିବାରେ ସହାୟକ ହେବ ।