‘ମୋ ପୁଅର ଭଲପଣିଆର ଫାଇଦା ନିଆଯାଇଛି’ । ଭାବବିହ୍ୱଳ ହୋଇ ରାଜ୍ୟବାସୀଙ୍କ ପ୍ରାର୍ଥନା କାମନା କଲେ ବାବୁସାନଙ୍କ ମା’ ଅପରାଜିତା ।

260

କନକ ବ୍ୟୁରୋ: ପୁଅ ବାବୁସାନଙ୍କ କଥା କହି ଭାବବିହ୍ୱଳ ହେଲେ ମା’ ଅପରାଜିିତା । ପୁଅକୁ ପୂର୍ବଭଳି ଫେରିପାଇବାକୁ ରାଜ୍ୟବାସୀଙ୍କ ପ୍ରାର୍ଥନା କରିବାକୁ ଅନୁରୋଧ କଲେ । ଓଲିଉଡ୍ ଆକ୍ଟର ବାବୁସାନଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ତାଙ୍କ ପତ୍ନୀ ରେଡହ୍ୟାଣ୍ଡେଡ୍ ଧରିବା ପରେ ରାଜଧାନୀ ରାଜରାସ୍ତାରେ ହୋଇଥିଲା ହାଇଡ୍ରାମା ।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ତାଙ୍କ ପତ୍ନୀ ତୃପ୍ତୀ ଶତପଥୀ ନିଜ ମନ୍ତବ୍ୟ ପ୍ରକାଶ କରିବା ପରେ ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ନିଜ ଭାବନାକୁ ପ୍ରକାଶ କରିଛନ୍ତି ।

ପୁଅ ବାବୁସାନର କିଛି ଅଭିନେତ୍ରୀଙ୍କ ସହ ସମ୍ପର୍କ ଓ ତାଙ୍କ ହାବଭାବରେ ପରିବର୍ତ୍ତନ ଲକ୍ଷ୍ୟ କରିବା ପରେ ପୁଅକୁ ଅନେକ ବୁଝା ସୁଝା କରିଥିଲେ ଅପରାଜିତା । ସବୁ ଥର ବାବୁସାନ କୁହନ୍ତି ସେ ଏସବୁଥିରୁ ଫେରିଆସିବେ ସବୁ ଠିକ ହୋଇଯିବ । ହେଲେ ସବୁ ବିଗିଡିଗଲା । କିଛି ଯୁବ ଅଭିନେତ୍ରୀ ବାରମ୍ବାର ତାଙ୍କର ବ୍ରେନ୍ ୱାସ୍ କରିଥିଲେ । ଫଳରେ ସେ ନିଜ ପିଲାଛୁଆଙ୍କୁ ଛାଡି ଅନେକ ସମୟ ବାହାରେ କଟାଇଲେ । ତଥାପି ମା’ ହିସାବରେ ତାଙ୍କୁ ବାଟକୁ ଆଣିବାକୁ ଚେଷ୍ଟା କରିଥିଲେ । ହେଲେ ନିର୍ଦ୍ଦିଷ୍ଟ ଅଭିନେତ୍ରୀ ତାଙ୍କୁ ବାରମ୍ବାର ଫୋନ କରି ଅବାଟକୁ ନେବାକୁ ଚେଷ୍ଟା କଲେ । ପରିବାରର ସତ ଚେଷ୍ଟା ପରେ ବି ସେ ବଦଳିଗଲେ ।

‘ବାବୁସାନ୍ ଆଗରୁ ବହୁତ ଭଲ ଥିଲା । ଫିଲ୍ମ ଇଣ୍ଡଷ୍ଟ୍ରି ତାର ଜୀବନ ଥିଲା । ତା’ର ଭଲ ପଣିଆର ଫାଇଦା ନିଆଯାଇଛି’ । ତେଣୁ ଗଣମାଧ୍ୟମ ଜରିଆରେ ସାରା ଓଡିଶାବାସୀଙ୍କୁ ଅନୁରୋଧ କଲେ ଅପରାଜିତା , କହିଲେ ‘ଓଡିଶାବାସୀଙ୍କ ଅଶୀର୍ବାଦରୁ ମୋ ପୁଅ ପୁଣି ସୁନା ହୋଇ ମୋ ପାଖୁ , ତା ପରିବାରକୁ ଫେରିଆସୁ’ । ଏପରି କହୁ କହୁ କାନ୍ଦି ପକାଇଲେ ଅପରାଜିତା ।