ବଢିଲା ଅଭିନେତା ସଲମାନ ଖାନଙ୍କ ସୁରକ୍ଷା: ଗାଲେକ୍ସି ଆପାର୍ଟମେଂଟରେ ପହଁଚିଲା ମୁମ୍ବାଇ ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍

95

କନକ ବ୍ୟୁରୋ: ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନ ହତ୍ୟା ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି ।ପ୍ରଶଂସକଙ୍କଠୁ ନେଇ ସେଲିବ୍ରେଟି ସଲମାନଙ୍କ ସୁରକ୍ଷା ନେଇ ଯେତିକି ଚିନ୍ତାରେ ଅଛନ୍ତି ସେତିକି ଚିନ୍ତାରେ ପଡିଛି ମୁମ୍ବାଇ ପୁଲିସ । ଆଜି ସକାଳୁ ସଲମାନଙ୍କ ଗାଲେକ୍ସି ଆପାର୍ଟମେଂଟରେ ପହଁଚି ମୁମ୍ବାଇ ପୁଲିସ ଓ ସିବିଆଇ ଟିମ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।

ବଲିଉଡ ଅଭିନେତା ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ଏକ ହତ୍ୟା ଧମକ ମିଳିଛି । ହତ୍ୟା ପାଇଁ ଲେଖାଯାଇଥିବା ଏକ ଚିଠିରେ ଲେଖା ଯାଇଛି, ସଲମାନ ଓ ତାଙ୍କ ପିତା ସଲିମ ଖାନଙ୍କ ହତ୍ୟା ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ହେବ । ଏଭଳି ଧମକ ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହତ୍ୟା ଧମକ ମିଳିବା ପରେ ଏବେ ଆକ୍ସନ ମୋଡରେ ମୁମ୍ବାଇ ପୁଲିସ । ମୁମ୍ବାଇ ପୁଲିସ ଓ ସିବିଆଇ ଏକ ଟିମ ସୋମବାର ସକାଳୁ ସଲମାନଙ୍କ ଗାଲେକ୍ସି ଆପାର୍ଟମେଂଟରେ ପହଁଚିଛି । ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୁଲିସ । ରବିବାର କିଛି ଅଜ୍ଞାତ ବ୍ୟକ୍ତି ସଲମାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଚିଠି ଦେଇଥିଲେ । ବଲିଉଡ ତାରକାଙ୍କୁ ଏଭଳି ଧମକ ମିଳିବା ଘଟଣ ଚର୍ଚ୍ଚା ସୃଷ୍ଟି କରିଛି ।

ଜୁନ ୫ ତାରିଖ । ରବିବାର । ପ୍ରତିଦିନ ପରି ମର୍ଣ୍ଣି ୱାର୍କରେ ଯାଇଥିଲେ ସଲିମ ଖାନ । ଥକ୍କା ମେଂଟାଇବା ପାଇଁ ସଲିମ ଏକ ବେଂଚ୍ରେ ବସିଥିବାବେଳେ ଗୋଟିଏ ସନ୍ଦିଗ୍ଧ ଚିଠି ଦେଖିବାକୁ ପାଇଥିଲେ । ଚିଠି ଖୋଲି ପଡିଥିଲେ ଓ ସେଥିରେ ସଲମାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜାଣିବାକୁ ପାଇଥିଲେ । ସଲିମ ଖାନ ତୁରୁନ୍ତ ଏହି କଥା ଘର ଲୋକଙ୍କୁ ଜଣାଇଥିଲେ । ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ସଲମାନଙ୍କ ପରିବାର ।

ମୁମ୍ବାଇ ପୁଲିସ ସନ୍ଦେହ ପ୍ରକାଶ କରିଛି କି ସଲମାନ ଓ ତାଙ୍କ ପରିବାର ଲୋକଙ୍କ ଗତିବିଧି ଉପରେ ଲଗାତାର ନଜର ରଖାଯାଉଛି । ତେଣୁ ସଲିମ ଖାନଙ୍କ ପିଛା କରି ଚିଠି ଆକାରରେ ହତ୍ୟା ଧମକ ଦେଇଛନ୍ତି ଦୁବୁର୍ତ । ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।

ସଲମାନଙ୍କ ପରିବାର ପକ୍ଷରୁ ଏତାଲା ଦାୟର ପରେ ବାନ୍ଦ୍ରା ପୁଲିସ ଆଇପିସି ଧାରା ୫୦୭ ଆଧାରେ ମାମଲା ଦାୟର କରିଛି । ମୁମ୍ବାଇ ପୁଲିସ ଦୁଇଟି ଦିଗରେ ଘଟଣାର ଯାଂଚ ଆରମ୍ଭ କରିଛି । ଅଣ୍ଡରୱାଲ୍ଡରର ହାତ ରହିଥିବା ସନ୍ଦେହ ଓ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀର ପୂବରୁ ଦେଇଥିବା ଧମକ ଆଧାରରେ ପୁଲିସ ତଦନ୍ତ କରୁଛି । ଘଟଣାସ୍ଥଳ ଆଖପାଖରେ ସ୍ଥାନରେ ଯାଂଚ କରିବା ସହ ସିସିିଟିଭି ଫୁଟେଜ ଆଧାରେ ସୁରାକ ହାତେଇବାକୁ ଚେଷ୍ଟା କରୁଛି ।

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡକୁ ନେଇ ମାହୋଲ ଗରମ ଥିବାବେଳେ ଏବେ ସଲମାନ ଓ ସଲିମ ଖାନଙ୍କୁ ହତ୍ୟା ଧମକ ମୁୁମ୍ବାଇ ପୁଲିସର ନିଦ ହଜାଇଛି । ତିହାର ଜେଲରେ ବନ୍ଦ ଥିବା ସିଙ୍ଗର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀ ୨୦୧୮ ମସିହାରେ ସଲମାନଙ୍କୁ ଖୁଲ୍ଲମଖୁଲା ହତ୍ୟା ଧମକ ଦେଇଥିଲା । ତେଣୁ ଅନେକ ସନ୍ଦେହ ଭିତରେ ପୁଣି ଏହି ହତ୍ୟା ଧମକ ସଲମାନଙ୍କ ଜୀବନ ପ୍ରତି ଥିବା ବିପଦ ଆଶଙ୍କାକୁ ବୃଦ୍ଧି କରିଛି ।