ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀ, ନିଲମ୍ବିତ ହେଲେ ବିଜେପି ମୁଖପାତ୍ର । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ନିନ୍ଦା କଲା ଭାରତ ।
କନକ ବ୍ୟୁରୋ: ବୟାନକୁ ନେଇ ବିବାଦ। ସମାଲୋଚନା ଘେରରେ ଏବେ ଭାରତ ସରକାର । ସେପଟେ କ୍ଷମତାସୀନ ବିଜେପିକୁ ମିଳୁଛି ନିନ୍ଦା, ଅପବାଦ । ପ୍ରଫେଟ ମହମ୍ମଦଙ୍କ ଉପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମା ଦେଇଥିବା ବୟାନ ବିରୋଧରେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଜୋରଦାର ବିରୋଧ କରାଯାଉଛି । ଗଲଫ ଦେଶଠୁ ନେଇ ମୁସଲିମ ବହୁଳ ଦେଶ ଭାରତଠୁ ଜବାବ ମାଗୁଛନ୍ତି । ସେପଟେ ବିଜେପିକୁ ଘେରିଛି ବିରୋଧୀ । ଏହା ଭିତରେ ନୂପୁର ଶର୍ମା ଦଳରୁ ନିଲମ୍ବିତ ଓ ଦିଲ୍ଲୀ ପ୍ରଦେଶ ବିଜେପି ମିଡିଆସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କୁ ବହିଷ୍କାର କରାଯାଇଛି କିନ୍ତୁ ମାମଲା ଥଣ୍ଡା ପଡିବା ବଦଳରେ ତେଜିବାରେ ଲାଗିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିଜେପିର ଦୁଇ ନେତା ଯେଉଁ ଟିପ୍ପଣି ଦେଇଥିଲେ ତାହା ଏବେ ବଡଧରଣର ବିବାଦର ରୂପ ନେଲାଣି । ନିଲମ୍ବିତ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନ ଓ ଦିଲ୍ଲୀ ବିଜେପି ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ସୋସିଆଲ ମିଡିଆ ପୋଷ୍ଟ କ୍ରମଶଃ ଅର୍ନ୍ତଜାତୀୟ ପ୍ରସଙ୍ଗ ପାଲଟିିଛି । ବିଭିନ୍ନ ଗଲଫ ଓ ମୁସଲିମ ବହୁଳ ଦେଶମାନେ ବୟାନ ବିରୋଧରେ ସ୍ୱର ଉତୋଳନ କରିବା ସହ ଭାରତ ସରକାରଙ୍କଠୁ କ୍ଷମା ପ୍ରାର୍ଥନା ଦାବିକରୁଛନ୍ତି । ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ ତଥାପି ମାମଲା ଥଣ୍ଡା ପଡିବା ପରିବର୍ତ୍ତେ ତେଜିବାରେ ଲାଗିଛି ।
ମୁସଲିମ ବହୁଳ ରାଷ୍ଟ୍ରମାନେ ବୟାନକୁ ନେଇ ଭାରତକୁ କଡ଼ାସମାଲୋଚନା କରିବା ସହ ଭାରତୀୟ ସାମଗ୍ରୀ ଓ ଚଳଚ୍ଚିତ୍ର ବର୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଇସଲାମିକ ଦେଶ ବାହାରିନ, କତାର, ଓମାନ, କୁଏତ, ଇରାନ ସେମାନଙ୍କ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୁତଙ୍କ ସମନ ଜାରି କରି ଅସନ୍ତୋଷ ବ୍ୟକ୍ତ କରିଛି ।
ଘଟଣାକୁ ନେଇ ବିଜେପି କହିଛି ଉଭୟ ଦେଶ ଓ ବିଜେପି ସବୁ ଧର୍ମକୁ ସମାନ ସମ୍ମାନ ପ୍ରଦାନ କରନ୍ତି । ଯେଉଁମାନେ ଅପମାନ ଟିପ୍ପଣୀ ଦେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେପଟେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିିଜନକ ଟିପ୍ପଣୀ ପାଇଁ ବିଜେପି ସରକାରଙ୍କୁ ଘେରିଲେଣି ବିରୋଧୀ । କଂଗ୍ରେସଠୁ ନେଇ ବିିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ଘଟଣାକୁ ନେଇ ବିଜେପିଠୁ ଜବାବ ମାଗୁଛନ୍ତି
ସାଉଦି ଆରବ ରାଷ୍ଟ୍ରସମୂହଙ୍କ ସହ ଏକ ସ୍ୱର ମିଶାଇଛି ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ଟୁଇଟ କରି ନୂପୁର ଶର୍ମାଙ୍କ ବୟାନକୁ ନିନ୍ଦା କରି କହିଛନ୍ତି ବିଶ୍ୱ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରୁ ଓ ଭାରତ ସରକାର ଜବାବ ରଖନ୍ତୁ । ନୂପୁର ଶର୍ମାଙ୍କ ନାଁରେ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦରେ ୩ଟି ମାମଲା ରୁଜୁ ହେବା ସହ ତାଙ୍କୁ ହତ୍ୟା ଦୁଷ୍ମର୍ମ ଧମକ ଦିଆଯାଇଥିବା ସୂଚନା ରହିଛି ।
ନୂପୁରଙ୍କ ବୟାନକୁ ନେଇ ମିଳିତ ଜାତିସଂଘର ମାନାବାଧିକାର ସଂଗଠନକୁ ଓଆଇସି ଅଭିଯୋଗ କରିଛି । ଓଆଇସିର କହିଛି କି ଭାରତରେ ମୁସଲିମାନଙ୍କୁ ଟାର୍ଗେଟ କରାଯାଉଛି ଓ ମୁସଲିମମାନଙ୍କ ବିରୋଧରେ ହିଂସା ବୃଦ୍ଧି ପାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ କଟକଣା ଲଗାଯାଉଛି । ଭାରତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେପଟେ ଓଆଇସିକୁ କଡା ଜବାବ ଦେଇଛି ଭାରତ । ଓଆଇସିର ଏଭଳି ବୟାନ ସଂକୀର୍ଣ୍ଣ ମନୋଭାବ ଓ ଛୋଟ ବିଚାରଧାରାକୁ ଦର୍ଶାଉଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।
ଏକ ଟିଭି ବିର୍ତକ କାର୍ଯ୍ୟକ୍ରମରେ ନୂପୁର ଶର୍ମା ଜ୍ଞାନବାପି ମସଜିଦ ମାମଲାରେ ନିଜର ମତ ଦେଇଥିଲେ । ଏହି ସମୟରେ ପ୍ରଫେଟ ମହମ୍ମଦଙ୍କ ବିଷୟରେ ଏକ ବିବୃତି ରଖିଥିଲେ । ଏହି ବିବୃତିକୁ ନେଇ ବିବାଦ ଆରମ୍ଭ ହେବା ସହ ଧାର୍ମିକ ଭାବନାକୁ ଆଘାତ, ଘୃଣା ବିସ୍ତାର ଓ ଅନ୍ୟ ଧର୍ମ ବିରୁଦ୍ଧରେ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ମେ ୬ ତାରିଖରେ ଏହି ଘଟଣା ଘଟିବା ସହ ନୂପୁରଙ୍କ ବୟାନ ଭିଡିଓ ଭାଇରାଲ ହେଉଛି ।