ଆକ୍ସିଡେଣ୍ଟ ଷ୍ଟାଇଲରେ ହତ୍ୟା ଅଭିଯୋଗ: ନମ୍ବର ପ୍ଲେଟକୁ ଲିଭାଇ ଚଢାଇ ଦେଲେ ମିନି ଟ୍ରକ

142

କନକ ବ୍ୟୁରୋ: ଫିଲ୍ମରେ ଯେମିତି କୌଣସି ଶତ୍ରୁକୁ ହଟାଇବା ପାଇଁ ଗୋଟିଏ ପକ୍ଷ, ଅନ୍ୟ ପକ୍ଷର ଲୋକଙ୍କ ଉପରେ, ଯୋଜନାବଦ୍ଧ ଭାବେ ଗାଡି ଚଢ଼ାଇ ଦେଇଥାନ୍ତି, ଏହି ଦୁର୍ଘଟଣା ଠିକ୍ ସେମିତି ଘଟିଥିବା ଅଭିଯୋଗ ହୋଇଛି ।

ଆଗରେ ଏକ ବାଇକରେ ଜଣେ ଲୋକ ଯାଉଛନ୍ତି । ପଛରେ ଏକ ମିନିଟ୍ରକ ଆସୁଛି । ଆଉ ଏହି ସମୟରେ ଅଚାନକ ମିନିଟ୍ରକଟି ବାଇକକୁ ଧକା ଦେଉଛି । ଆଉ ବାଇକ୍ ରାସ୍ତାକଡରେ ଥିବା ଏକ ଇନୋଭା ଗାଡିକୁ ଧକ୍କା ଦେଉଛି । ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଏହାକୁ ଦୁର୍ଘଟଣା କୁହାଯାଉଥିଲେ ବି ପରେ ସାମନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଫିଲ୍ମର କାହାଣୀ ଭଳି ପୂର୍ବ ଶତ୍ରୁତା ପାଇଁ ଟାର୍ଗେଟ କରି ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ଦୁର୍ଘଟଣାର ଶିକାର ହୋଇଥିବା ପରିବାରର ଲୋକଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ହୋଟେଲ ମାଲିକ ସାନୁ ନାୟକ ଓ ସେହି ଅଂଚଳର ଚିତ ମହାନ୍ତିଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ଆଉ ସେଥିପାଇଁ ସାନୁକୁ ବାଟରୁ ହଟାଇବା ପାଇଁ ଅତି ଯୋଜନାବଦ୍ଧ ଭାବେ ଗାଡିର ନମ୍ବର ପ୍ଲେଟରେ ରଂଗ ବୋଳି ନିଜେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିଲେ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି । ମୃତକଙ୍କ ସମ୍ପର୍କୀୟ ମୃତ ଦେହକୁ ରଖି ପ୍ରତିବାଦ କରିଛନ୍ତି । ଅନ୍ୟପଟେ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି ବଲାଂଗୀର ପୋଲିସ ।