ଭଦ୍ରକରେ ପହଁଚିଲା ୨ କଂପାନୀ କେନ୍ଦ୍ରୀୟ ଫୋର୍ସ : ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୁଲିସ

25

କନକ ବ୍ୟୁରୋ : ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ୨ କଂପାନୀ କେନ୍ଦ୍ରୀୟ ଫୋର୍ସ ଭଦ୍ରକରେ ପହଁଚିଛନ୍ତି । ଭଦ୍ରକ ଦଙ୍ଗା ନେଇ କେନ୍ଦ୍ରର ସହାୟତା ଲୋଡିଛନ୍ତି ରାଜ୍ୟ ସରକାର । ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କୁ ସହାୟତା ପାଇଁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

୪ କମ୍ପାନୀ ସ୍ୱତନ୍ତ୍ର ରାପିଡ୍ ଆକ୍ସନ୍ ଫୋର୍ସ ଭଦ୍ରକରେ ଏବେ ବି ଉତେଜନା ପରିସ୍ଥିତି ଅଛି ଏବଂ ଏହାକୁ ମୁକାବିଲା ପାଇଁ ରାପିଡ୍ ଆକ୍ସନ ଫୋର୍ସର ଆବଶ୍ୟକତା ଥିବା ସେ ଚିଠିରେ ଲେଖିଛନ୍ତି । ରାଜ୍ୟ ପୋଲିସକୁ ସହାୟତା ପାଇଁ ୪ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ତୁରନ୍ତ ପଠାଇବାକୁ କେନ୍ଦ୍ରକୁ ସେ ଅନୁରୋଧ କରିଛନ୍ତି । ସେପଟେ ଦୁଇ କଂପାନୀ ଫୋର୍ସ ପଠାଯାଇଥିବା ବେଳେ ଆଉ ଦୁଇଟି ଫୋର୍ସ ପଠାଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର କହିଛନ୍ତି । ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଦେବା ନେଇ ଆଶ୍ୱାସନା ଦେଇଛି କେନ୍ଦ୍ର ।

ଭଦ୍ରକ ହିଂସା ଘଟଣାରେ ୪୩ ଜଣକୁ ଗିରଫ କରିଛି ପୁଲିସ । ସେମାନଙ୍କ ମଧ୍ୟରେ ୩୩ ଜଣକୁ କୋର୍ଟ ଚାଲଣ କରାଯାଇଛି । ଗିରଫ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରହିଥିବା ସୂଚନା ମିଳିଛି । ସେପଟେ ସୋସିଆଲ ମିଡିଆରେ ହିଂସାକୁ ଉସୁକାଉଥିବା ବ୍ୟକ୍ତିଙ୍କ ବିରୋଧରେ ସରକାରଙ୍କ ଆଭିମୁଖ୍ୟ କଡ଼ା ହୋଇଛି । ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇଛି ।