୧୮ ବର୍ଷରେ ପୂର୍ଣ୍ଣ ସ୍ୱାଧୀନତା ସମାଜ ପାଇଁ ଭଲ ନୁହେଁ । ହାଇକୋର୍ଟରେ ମତ ରଖିଲେ କେରଳ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ

135

କନକ ବ୍ୟୁରୋ: ୧୮ ବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧିନତା ଦେବା ଉଚିତ୍ ନୁହେଁ ବୋଲି କେରଳ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେରଳ ସାଇନ୍ସ ଓ ହେଲ୍ଥ ୟୁନିଭର୍ସିଟି । ୧୮ ବର୍ଷରେ ପିଲାଙ୍କ ପରିପକ୍ୱତା ଆସି ନଥାଏ । ତେଣୁ ଏହି ବୟସରେ ପିଲାଙ୍କୁ ପୂର୍ଣ୍ଣ ସ୍ୱାଧିନତା ଦେବା କଥା ନୁହେଁ । ସୂଚନାଯୋଗ୍ୟ ଯେ, ୧୮ ବର୍ଷ ପରେ ଯୁବକ ଯୁବତୀ ନିଜକୁ ବଡ ବୋଲି ମନେକରନ୍ତି । ୧୮ ବର୍ଷ ପରେ ଭୋଟ୍ ଦେଇ ନିଜ ନେତା ନିଜେ ବାଛିବାର ଅଧିକାର ପାଉଥିବାରୁ ଅନେକ ନିଜ ନିଷ୍ପତି ନିଜେ ନେବା କଥା କୁହନ୍ତି ।

୧୮ ବର୍ଷ ବୟସରେ ଜଣଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେବା ସମାଜରେ ହିତକର ନୁହେଁ ବୋଲି କେରଳ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୋଝିକୋଡ ମେଡିକାଲ କଲେଜର ଛାତ୍ରୀମାନଙ୍କ ଆବେଦନର ଶୁଣାଣି କରୁଥିବାବେଳେ କଲେଜ ପକ୍ଷରୁ ଏହା କୁହାଯାଇଛି । ବିଶ୍ୱବିଦ୍ୟାଳୟ ତରଫରୁ ସତ୍ୟପାଠରେ କୁହାଯାଇଛି…

  • ଛାତ୍ରଛାତ୍ରୀମାନେ ରାତିରେ ବୁଲିବା ଗ୍ରହଣୀୟ ନୁହେଁ
  • ୧୮ ବର୍ଷରେ ଛାତ୍ରଛାତ୍ରୀଙ୍କ ମସ୍ତିଷ୍କ ପରିପକ୍ୱ ହୋଇନଥାଏ
  • ପାରିପାଶ୍ୱିର୍କ ପରିସ୍ଥିତି ଛାତ୍ରଛାତ୍ରୀଙ୍କ ପ୍ରଭାବିତ କରିପାରେ
  • ନିୟନ୍ତ୍ରଣ ନକଲେ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ବ୍ୟବହାର, ନିଶାସେବନ କରିପାରନ୍ତି
  • ଅନିୟନ୍ତ୍ରିତ ଗାଡିଚାଳନା ଓ ଅସୁରକ୍ଷିତ ଯୌନ କାର୍ଯ୍ୟକଳାପ କରିପାରନ୍ତି
  • ୨୫ ବର୍ଷ ଆସିଲେ ପରିପକ୍ୱତା ଆସେ
  • ଛାତ୍ରଛାତ୍ରୀ ରାତିରେ ଭଲରେ ଶୋଇବା ଦରକାର

ବିଶ୍ୱବିଦ୍ୟାଳୟର ଏହି କଟକଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ସେମାନଙ୍କ ସ୍ୱାଧୀନତା ଉପରେ ଏହା ଏକ ପ୍ରଶ୍ନବାଚୀ ବୋଲି ସେମାନେ କହିଛନ୍ତି । ଅନ୍ୟପଟେ କେରଳ ସରକାର ମଧ୍ୟ ରାତିପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ରଖିଛନ୍ତି । ବୁଦ୍ଧିଜୀବୀଙ୍କ ମତରେ ପିଲାଙ୍କୁ ୧୮ ବର୍ଷ ପରେ ହଠାତ୍ ସମ୍ପୂର୍ଣ୍ଣ ସ୍ୱାଧୀନତା ନଦେଇ ଧିରେ ଧିରେ ସ୍ୱାଧୀନତା ଦେବା ଦରକାର ।

ଏପରି କଥାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଏହା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ହନନ କରୁଛି ବୋଲି କହିଛନ୍ତି ନୂତନ ପିଢୀର ଯୁବକ ଯୁବତୀ । ଅନ୍ୟପଟେ କିଛି ଅଭିଭାବକ ଏ କଥାକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି ।