ବିଭିନ୍ନ ହସ୍ପିଟାଲରେ ଚାଲିଛି ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗୁରୁତରଙ୍କ ଚିକିତ୍ସା । ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀରୁ ଆସିଛନ୍ତି ୧୭ ଜଣିଆ ବିଶେଷଜ୍ଞ ଦଳ

360

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାରେ ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଟକ ଏସସିବିରେ ବର୍ତମାନ ୧୪୨ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଟ୍ରମା ଆଇସିୟୁରେ ୫ ଜଣ ଏବଂ ସର୍ଜରୀ ଆଇସିୟୁରେ ୫ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରଠୁ ୧୯୩ ଆହତ ଏସସିବି ମେଡିକାଲ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ଜଣ ସୁସ୍ଥ ହୋଇ ଫେରିଗଲେଣି ।

ତେବେ ଆହତଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଅଧିକ ଚାପ ପଡୁଥିବାରୁ ରାୟପୁରରୁ ଆସିବାକୁ ଥିବା ବିଶେଷଜ୍ଞ ଦଳ ସେମାନଙ୍କୁ ସହଯୋଗ କରିବେ । ଆହତମାନଙ୍କର ଠିକଣା ସଂଗ୍ରହ କରାଯାଇସାରିଛି । ସେମାନଙ୍କ ସମ୍ପର୍କୀୟ ରହିବା ପାଇଁ ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆହତଙ୍କ ଚିକିତ୍ସାରେ ସହାୟତା ପାଇଁ ଦିଲ୍ଲୀରୁ ଆସିଛନ୍ତି ୧୭ ଜଣିଆ ବିଶେଷଜ୍ଞ ଟିମ । ଆହତଙ୍କୁ ଉନ୍ନତମାନର ଚିକତ୍ସା ଯୋଗାଇବାରେ ବିଶେଷଜ୍ଞ ଟିମ ସହାୟତା କରିବ । ଟିମ୍ ବିଭିନ୍ନ ହସ୍ପିଟାଲ ଯାଇ ରୋଗୀଙ୍କୁ ସଠିକ ଚିକିତ୍ସା କରାଯାଉଛି କି ନାହିଁ ତାହାର ମଧ୍ୟ ତଦାରଖ କରିବେ । ମୃତକଙ୍କୁ ଚିହ୍ନଟ ପାଇଁ ଏମସକୁ ସମ୍ପର୍କୀୟମାନେ ଆସୁଥିବା ବେଳେ କଟକ, ସୋର ଓ ବାଲେଶ୍ୱର ମେଡ଼ିକାଲରେ ଆହତମାନେ ଚିକିତ୍ସିତ ହେଉଛନ୍ତି ।