ଆସନ୍ତା କାଲି ଲୋକସଭା ପାଇଁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ।

176

କନକ ବ୍ୟୁରୋ: ଲୋକସଭା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାର ଅଛି । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ୯୬ ଟି ଆସନ ପାଇଁ ମତଦାନ ହେବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ମେ ୧୩ ତାରିଖରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଉତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଜାମ୍ମୁ କାଶ୍ମୀରରେ ମତଦାନ ହେବ । ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୨୫ଟି ଆସନରେ ଭୋଟିଂ ହେବାକୁ ଥିବା ବେଳେ ତେଲେଙ୍ଗାନରେ ୧୭, ଉତରପ୍ରଦେଶରେ ୧୩, ମହାରାଷ୍ଟ୍ରରେ ୧୧, ପଶ୍ଚିମବଙ୍ଗରେ ୯, ମଧ୍ୟପ୍ରଦେଶରେ ୮, ବିହାରରେ ୫, ଝାଡଖଣ୍ଡ ଏବଂ ଓଡ଼ିଶାରେ ୪ ଟି ଲେଖାଏଁ ଆସନ ଏବଂ ଜାମ୍ମୁ କାଶ୍ମୀରର ଗୋଟଏ ଆସନ ପାଇଁ ମତଦାନ ହେବ । ଏହି ପର୍ଯ୍ୟାୟରେ ଅଖିଳେଶ ଯାଦବ, ମହୁଆ ମୈତ୍ର, ଶତ୍ରୁଘ୍ନ ସିହ୍ନାଙ୍କ ଭଳି ନେତାଙ୍କ ଭାଗ୍ୟ ନିର୍ଧାରଣ ହେବ । ଏପ୍ରିଲ ୧୯ରୁ ଏପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟରେ ମୋଟ ୨୮୫ ଆସନରେ ମତଦାନ ହୋଇସାରିଛି ।

ସେପଟେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଂଟଡାଉନ ଆରମ୍ଭ ହୋଇଯାଇଛି । ସୋମବାର ରାଜ୍ୟର ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ଅଛନ୍ତି । ମୋଟ ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ ହେବ । ଏଥିପାଇଁ ନିର୍ବାଚନ ହେବାକୁ ଥିବା ସବୁ ପୋଲିଂ ବୁଥକୁ ଇଭିଏମ ପଠାଯାଇଛି । ପୋଲିଂ ଅଧିକାରୀମାନେ ଇଭିଏମ ସହ ଭିଭିପାଟ ମେସିନ ସାଙ୍ଗରେ ଧରି ନିଜ ନିଜ ପୋଲିଂ ବୁଥକୁ ଯାଇଛନ୍ତି । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।