ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ଚୌକି ।

274

କନକ ବ୍ୟୁରୋ: ଆସନ୍ତା ଗୁରୁବାର ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ମୟରଭଞ୍ଜ ଜିଲ୍ଲା । ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ଭିତରେ ଚର୍ଚ୍ଚାରେ ରହିଛି ମହାମହିମଙ୍କ ଚୌକି । ଖାସକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତ ହୋଇଛି ଏକ ଚୌକି ।

  • ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ଚେୟାର
  • ଶାଗୁଆନ ଓ ପିଆଶାଳରେ ତିଆର ହୋଇଛି ଚୌକି

ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଗୁରୁବାର ୩ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସିବେ । ଏଥିପାଇଁ ତାଙ୍କ ନିଜ ଗାଁ ପାହାଡପୁରଠାରୁ ଆରମ୍ଭ କରି ସାରା ମୟୁରଭଞ୍ଜ ଚଳଚଞ୍ଚଳ ହୋଇଛି । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ବି ଚାଲିଛି । କିନ୍ତୁ ଏହାରି ଭିତରେ ଚର୍ଚ୍ଚାରେ ରହିଛି ମହାମହିମଙ୍କ ସ୍ୱତନ୍ତ୍ର ଚେୟାର । ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ଏହି ଚେୟାର ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ରଖାଯାଇଛି । ଏଥିପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କ ଖୁସି କହିଲେ ନ ସରେ । ମହାମହିମ ରାଷ୍ଟ୍ରପତିଙ୍କୁ ନୂଆ ଚୌକିରେ ବସାଇବା ପାଇଁ ସ୍କୁଲ ପରିସରରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଚୌକି । ସ୍କୁଲରେ ଏହାକୁ ଏକ ସ୍ମୃତି ଭାବେ ରଖିବା ପାଇଁ ସ୍ଥାନୀୟ ବାସିନ୍ଦା ସ୍ଥିର କରିଛନ୍ତି ।

ନୂଆକରି ତିଆରି ହୋଇଥିବା ସ୍ୱତନ୍ତ୍ର ଚୌକି ଶାଗୁଆନ ଓ ପିଆଶାଳରେ ନିର୍ମାଣ କରାଯାଇଛି । ସ୍କୁଲ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାର ତିଆରି ସରିଛି । ନିଜ ଗାଁ ଝିଅକୁ ଏହି ଚେୟାରରେ ବସାଇବା ପାଇଁ ସମସ୍ତେ ସେହି ମୂହୂର୍ତ୍ତକୁ ଅପେକ୍ଷା କରିଛନ୍ତି ।

ମୟୁରଭଞ୍ଜର କଳା ଓ ସଂସ୍କୃତିକୁ ଏହି ଚେୟାରରେ କାରିଗରମାନେ ନିଖୁଣଭାବରେ ଚିତ୍ର ଅଙ୍କନ କରିଛନ୍ତି । ଚେୟାରକୁ ତିଆରି କରିବା ପାଇଁ ପ୍ରାୟ ୩ ମାସ ସମୟ ଲାଗିଛି । ଦିନରାତି ଏକ କରି କାରିଗରମାନେ ଏହାକୁ ନିର୍ମାଣ କରିଛନ୍ତି । ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ମଧ୍ୟ ଚକାଚକ କରାଯାଇଛି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଲାଗି ଦ୍ରୌପଦୀ ମୁର୍ମୁ ନିଜ ଗାଁ ପାହାଡପୁରକୁ ଆସୁଛନ୍ତି । ତେଣୁ ସ୍ଥାନୀୟ ଲୋକେ ବି ନିଜ ଜନ୍ମମାଟିର ଝିଅକୁ ଦେଖିବାକୁ ଉକ୍ରଣ୍ଠାର ସହ ଚାହିଁରହିଛନ୍ତି । ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି ।