କର୍ଣ୍ଣାଟକ ପାଇଁ ପ୍ରତିଶ୍ରୁତି ବର୍ଷା: ବିଜେପିର ନିର୍ବାଚନୀ ଇସ୍ତାହାର, ପ୍ରତିଦିନ ମିଳିବ ମାଗଣା କ୍ଷୀର

702

କନକ ବ୍ୟୁରୋ: ବେଶ ରୋଚକ ହେଉଛି କର୍ଣ୍ଣାଟକ ନିର୍ବାଚନର ପ୍ରାକ-ମାହୋଲ । ଘନଘନ ପ୍ରଚାର ସାଙ୍ଗକୁ ବିବାଦୀ ବୟାନବାଜୀ ।ଭୋଟ ପାଇଁ ଚାଲିଛି ଦଳରମାନଙ୍କର କସରତ । ବିଶେଷ କରି ଦୁଇ ପ୍ରମୁଖ ପ୍ରତିନ୍ଦନ୍ଦୀ ବିଜେପି-କଂଗ୍ରେସ ମଧ୍ୟରେ ଟକ୍କର କେତେ ଯେ ବଡ ଧରଣର ହେବ ସେକଥା ପ୍ରଚାର ମଇଦାନରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହା ଭିତରେ ସୋମବାର ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି । ସବୁବର୍ଗଙ୍କୁ ଦୃଷ୍ଟିରେ ରଖିବା ସହ ଜାତିଗତ କାର୍ଡ ମଧ୍ୟ ଖେଳିଛି । ଏଥିସହ ମହିଳା ସଂଶକ୍ତିକରଣ ଓ ଯୁବ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ବିଜେପି ।

କଳେବଳେ କୌଶଳେ କର୍ଣ୍ଣାଟକ ଶାସର କ୍ଷମତା ପୁଣି ଥରେ ନିଜ ହାତକୁ ଆଣିବା ପାଇଁ ଜୋରଦାର କସରତ କରୁଛି ବିଜେପି । ମେ ୧୦ରେ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ । ଏହା ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତିର ବର୍ଷା କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ନିର୍ବାଚନୀ ଇସ୍ତାହାର ପ୍ରଜାଧ୍ୱନୀ ଘୋଷଣା କରିଛନ୍ତି । ଏଥରକ ନିର୍ବାଚନୀ ଇସ୍ତାହାରରେ ମହିଳା ସଂଶକ୍ତିକରଣ, ଯୁବଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱ ଦେଇଛି ଦଳ । ଏଥିସହ ପାଇଁ ଲିଙ୍ଗାୟତଙ୍କ ପାଇଁ କିଛି ବଡ ଘୋଷଣା କରିଛି ଦଳ । ନଜର ପକାନ୍ତୁ ବିଜେପିର ନିର୍ବାଚନୀ ଇସ୍ତାହାରର ଉପରେ:

କର୍ଣ୍ଣାଟକ ପାଇଁ ବିଜେପିର ପ୍ରତିଶ୍ରୁତି ବର୍ଷା

• ରାଜ୍ୟରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋର୍ଡ
• ବିପିଏଲ ପରିବାରକୁ ବର୍ଷକୁ ମିଳିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର
• ପ୍ରତ୍ୟେକ ୱାର୍ଡରେ ଖୋଲାଯିବ ଅଟଳ ଆହାର କେନ୍ଦ୍ର
• ବିପିଏଲ ପରିବାରକୁ ପ୍ରତିଦିନ ମିଳିବ ଅଧା ଲିଟର କ୍ଷୀର
• ଚାଷୀଙ୍କ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ଋଣରେ ସୁଧ ଲାଗିବନି
• ଚାଷୀଙ୍କୁ ବିହନ ପାଇଁ ପ୍ରତିବର୍ଷ ଦଶ ହଜାର ମିଳିବ
• ଗରିବ ପରିବାରଙ୍କୁ ପ୍ରତିମାସରେ ମାଗଣା ୫କିଲୋ ଚାଉଳ ଓ ଗହମ ଦିଆଯିବ
• ଓନରସିପ୍ ଆକ୍ଟରେ ସଂଶୋଧନ କରାଯିବ
• ସାମାଜିକ ନ୍ୟାୟ ନିଧୀ ସ୍କିମ ଲାଗୁ ହେବ
• ଅନୁସୂଚିତ ଜାତିର ମହିଳାଙ୍କୁ ଲକ୍ଷେ ଟଙ୍କା ଏଫଡି ସୁବିଧା ଦିଆଯିବ
• ୧୦ଲକ୍ଷ ବାସହୀନଙ୍କୁ ଘର ମିଳିବ
• ବରିଷ୍ଠନାଗରିଙ୍କ ମାଗଣା ବାର୍ଷିକ ସ୍ୱାସ୍ଥ୍ୟ ପରିକ୍ଷା ସୁବିଧା ପ୍ରଦାନ କରାଯିବ
• ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧୫ହଜାର କୋଟିର ବଜେଟ ରହିଛି

କର୍ଣ୍ଣାଟକ ପାଇଁ କେତେବେଳେ ସମୀକରଣ ବଦଳୁଛି ତ ପୁଣି କେବେ ଟିକେଟ ବଂଟନକୁ ନେଇ ବାଦ ବିବାଦ ବଢିବାରେ ଲାଗିଛି । ଏଥିସହ ଦଳ ଡିଆଁ ପର୍ବରେ କେବେ ବିଜେପିକୁ ଝଟକା ଲାଗୁଛି ତ ପୁଣି କେବେ କଂଗ୍ରେସ ଦୋହଲିଯାଉଛି । ଏବେ ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିବା ପରେ ଆଗକୁ ଅପେକ୍ଷା କଂଗ୍ରେସକୁ । ଦଳ ବିଜେପିକୁ ଟକ୍କର ଦେବା ପାଇଁ ନିଜ ନିର୍ବାଚନୀ ଇସ୍ତାହାରରେ କଣ ସବୁ ରଖିବ ଏହା ଉପରେ ନଜର ରହିବ ।

କର୍ଣ୍ଣାଟକ ରାଜନୀତିରେ ପ୍ରତି ୫ବର୍ଷରେ ସରକାର ପରିବର୍ତନ ଧାରା ରହିଛି । ତଥାପି ସମସ୍ତ ଚ୍ୟାଲେଂଜକୁ ଗ୍ରହଣ କରି ବିଜେପି ପୁଣି ଥରେ କର୍ଣ୍ଣାଟକକୁ ନିଜ ହାତମୁଠାକୁ ନେବା ପାଇଁ ପ୍ରତିଶ୍ରୁତିବର୍ଷା କରିଛି ।ଆଉ ଏହି ପ୍ରତିଶ୍ରୁତି ଭୋଟରଙ୍କୁ କେତେ ଆକୃଷ୍ଟ କରିବ ତାହା ଆଗାମୀ ନିର୍ବାଚନ ଫଳାଫଳରେ ଜଣାପଡିବ ।

୨୨୪ ବିଧାନସଭା ଆସନ ପାଇଁ ଦୁଇଟି ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେବା ସମ୍ଭାବନା ରହିଛି । ନିର୍ବାଚନୀ ପ୍ରଚାରରୁ ଜଣାପଡୁଛି ଏଥରକ ହେବ କଡ଼ା ଟକ୍କର । କର୍ଣ୍ଣାଟକ ଶାସନ ଗାଦୀରେ କିଏ ବସିବେ ସେକଥା ମେ ୧୩ରେ ସ୍ପଷ୍ଟ ହେବ । ବିଜେପି ପୁଣି ଥରେ ଫେରିବ ନା କଂଗ୍ରେସ ପାଇଁ କିଛି ଚମକ୍ରାର ହେବ ସେକଥା ନିର୍ବାଚନ ଫଳାଫଳରେ ଜଣାପଡିବ ।