ରାସ୍ତା ଖୋଳି କିଏ ବନ୍ଦ କଲା କୋଟିଆ ବାଟ? ଆସିଲେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ, ଯାଇପାରିଲେନି ଓଡ଼ିଶା ଅଧିକାରୀ

127

କନକ ବ୍ୟୁରୋ: କୋଟିଆକୁ ନେଇ ବିବାଦ ଭିତରେ ପୁଣି ଥରେ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିଛି ଆନ୍ଧ୍ର । ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପି ରାଜନ୍ ଦୋରା କୋଟିଆରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି । ସେପଟେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗାଁକୁ ସଂଯୋଗ କରୁଥିବା ୨ଟି ରାସ୍ତାକୁ ଖୋଳି କୋଟିଆ ବାଟ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ଓଡିଶା ଅଧିକାରୀ କୋଟିଆରେ ପହଞ୍ଚିବାରେ ସମସ୍ୟା ଉପୁଜିଥିଲା ।

  • ଓଡ଼ିଶାର ବାଟ ଓଗାଳିଲା କିଏ?
  • ରାସ୍ତା ଖୋଳି କିଏ ବନ୍ଦ କଲା କୋଟିଆ ବାଟ?
  • ଆସିଲେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ, ଯାଇପାରିଲେନି ଓଡ଼ିଶା ଅଧିକାରୀ?

ଗୋଟିଏ ପଟେ ଓଡ଼ିଶା ସୀମାରେ ପଶି ସରକାରୀ କାର୍ଯ୍ୟକ୍ରମ କରିଛନ୍ତି ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ ପିଡ଼ିକା ରାଜନ୍ନା ଦୋରା । ଆଉ ଗୋଟିଏ ପଟେ କୋଟିଆକୁ ସଂଯୋଗ କରୁଥିବା ରାସ୍ତା ଦୁଇଟି ଉପରେ ମାଟି ପକାଇ ରାସ୍ତାକୁ ଅବରୋଧ କରାଯାଇଛି । ଏହି ଅବରୋଧ ପଛରେ ଷଡ଼ଯନ୍ତ୍ର ଥିଲା ନା’ ଚାଲାକି ଥିଲା ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ ।

  • ପୁଣି ଆଖିରେ ଧୂଳି ଦେଲା ଆନ୍ଧ୍ର
  • ସମାଧାନ କଥା କହି ଛଳନା କଲେ ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଭିତରେ ଆଜି ଆନ୍ଧ୍ର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ, କୋଟିଆ ପଞ୍ଚାୟତର ଫାଟୁସିନେରି, ସଲପଗୁଡ଼ା, କଣାଦୋରା,ଫଗୁଣ ସିନେରି ଆଦି ଗାଁରେ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିଭିନ୍ନ ଯୋଜନା ଯେମିତି କି, ଆମ୍ମାବାଡ଼ି, ସରକାରୀ ଭତ୍ତା, ରଇତୁ ଭରସା, ୱାଇଏସଆର୍ ସହାୟତା, ଚେଉତା ଦିବାନା ଭଳି ୨୪ଟି ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଛନ୍ତି । ଆଉ ଛଳନା କରିବା ଢଙ୍ଗରେ କହିଛନ୍ତି,ଓଡ଼ିଶା-ଆନ୍ଧ୍ର ସୀମାନ୍ତର ସମାଧାନ ପାଇଁ ଉଭୟ ରାଜ୍ୟ ଚାହୁଁଛନ୍ତି । ଏମିତି କି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପିତୃତୂଲ୍ୟ ବୋଲି କହିଛନ୍ତି ।

ଏପଟେ ବାରମ୍ବାର ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶକୁ ନେଇ ପୁଣି ତେଜିଛି କୋରାପୁଟ ରାଜନୀତି । ଏଥିପାଇଁ ରାଜ୍ୟ ସରକାରଙ୍କୁ କଂଗ୍ରେସ ବିଧାୟକ ଦାୟୀ କରିଥିବା ବେଳେ ଏହି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ନେତା । ତେବେ ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ଆନ୍ଧ୍ର ପ୍ରଦେଶ, କ୍ରମାଗତ ଭାବରେ ଅନୁପ୍ରବେଶ ଜାରି ରଖିଛି । ତେବେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ସୀମାନ୍ତରେ କଡ଼ାସୁରକ୍ଷା ବ୍ୟବସ୍ଥା ରହିଥିଲା ।