ବ୍ୟୟବହୁଳ ନିର୍ବାଚନ ପ୍ରଚାର ଭିତରେ ରାଜ୍ୟ ବିକାଶର ବିକଳ ଚିତ୍ର । ଫାଇଲିନ୍ ବାତ୍ୟାରୁ ଭାଙ୍ଗିଲାଣି ଘର, ଏପର୍ଯ୍ୟନ୍ତ ମିଳୁନି ସହାୟତା । ଗଛ ମୂଳରେ କଟୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ

46

କନକ ବ୍ୟୁରୋ : ନିର୍ବାଚନ ପାଇଁ ସମସ୍ତେ ପ୍ରସ୍ତୁତ । ଭୋଟ ହାତେଇବା ପାଇଁ ଗାଁ ମୁହାଁ ନେତା । ପ୍ରଚାର କରି ବିଭିନ୍ନ ପ୍ରକାର ପ୍ରତିଶୃତି ଦେଉଛନ୍ତି । ନିର୍ବାଚନ ଖବର ସଂଗ୍ରହ କରୁକରୁ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଥିଲା ଏକ ରୋଚକ ଦୃଶ୍ୟ । ଘର ଖଣ୍ଡିଏ ନଥିବାରୁ ଗଛ ମୁଳରେ ଦୟନୀୟ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତ୍ତି । ବାଲେଶ୍ୱର ସଦର ବ୍ଲକ କୁରାଡିଆ ପଞ୍ଚାୟତ ପରମାନନ୍ଦପୁର ଗାଁର ବାଲକ ପାତ୍ର ଓ ତାଙ୍କ ପତ୍ନୀ ସୁମତୀ ପାତ୍ର । ୨୦୧୩ରେ ଫାଇଲିନ ବାତ୍ୟାରେ ତାଙ୍କ ଘର ଭାଙ୍ଗି ଯାଇଥିଲା । ସେହି ଦିନ ଠାରୁ ଘର ଖଣ୍ଡିଏ ପାଇଁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଡିଓ ଏବଂ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନଥିବା ତ୍ୟନ୍ତ କୋହ ଭରା କଣ୍ଠରେ କହିଛନ୍ତି ବୃଦ୍ଧ ଜଣଙ୍କ ।

ବାଲେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ସଦର ବିଧାୟକ ତଥା ବିଧାୟକ ପ୍ରାର୍ଥୀ ସ୍ୱରୁପ ଦାସ କୁରାଡିଆ ପଂଚାୟତର ପରମାନନ୍ଦପୁର ଗାଁରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ବାବଲଙ୍କ ଗଛମୂଳ ଘର ଉପରେ କ୍ୟାମେରା ପଡିଥିଲା । ଯେଉଁଠି ନିର୍ବାଚନୀ ସଭା ହେଉଥିଲା ସେହିଠାରେ ବାଲକଙ୍କ ପରିବାର ଗଛ ମୁଳରେ ରୋଷେଇ କରୁଥିଲେ । ସଭାରେ ଉଭୟ ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀ ସରକାରଙ୍କ ବିକାଶର କଥା କହୁଥିବା ବେଳେ ଏହି ବୃଦ୍ଧଦମ୍ପତିଙ୍କ ବାସ ସବୁ ବିକାଶମୂଳକ ଯୋଜନାକୁ ଯେମିତି ଅଟହାସ୍ୟ କରୁଛି ।

ନିର୍ବାଚନୀ ସଭାରେ ଉପସ୍ଥିତ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ସ୍ୱରୁପ କୁମାର ଦାସ କହିଛନ୍ତି ତଦନ୍ତ କରି ଘର ଯୋଗଇ ଦିଆଯିବ ।