କୋରାପୁଟ ଜିଲ୍ଲାରୁ ଆସିଲା ଅଭାବନୀୟ ଦୃଶ୍ୟ। ନଦୀ ଭିତରେ ଅଣ୍ଟାଏ ପାଣିରେ ଷ୍ଟ୍ରେଚରରେ ବୁହାହେଲେ ରୋଗୀ।

74

କନକ ବ୍ୟୁରୋ: ଜୀବନ ବଞ୍ଚାଇବା ପାଇଁ ଜୀବନ ଲାଗୁଛି ବାଜିରେ । ରାସ୍ତା ନଥିବା ଯୋଗୁ ଷ୍ଟ୍ରେଚରରେ ବୁହା ହୋଇ ନଦୀ ପାର ହେଲେ ରୋଗୀ । ମେଡ଼ିକାଲ ତ ଦୂରର କଥା ଆମ୍ବୁଲାନ୍ସ ପାଖକୁ ଯିବା ପାଇଁ ୩ କିମି କାଦୁଅ ଓ ପଥର ରାସ୍ତା ଓ ପରେ ଝଝାଂବତି ନଦୀ ପାର ହେବାକୁ ପଡ଼େ । ସେଥି ପାଇଁ କାନ୍ଧ ଏକ ମାତ୍ର ଭରସା । କୋରାପୁଟ ଜିଲ୍ଳା ନାରାୟଣପାଟଣା ବ୍ଳକର ଖରିକଣା ଗାଁରୁ ଆସିଲା ଏପରି ଅଭାବନୀୟ ଦୃଶ୍ୟ । ଗାଁର ରାମ ଶୁକିଆ ଜ୍ୱରରେ ପୀଡ଼ିତ ହୋଇଥିଲେ । ଚିକିତ୍ସା ପାଇଁ କୌଣସି ସୁବିଧା ନଥିବାରୁ ଗାଁର ମହିଳା ସରପଞ୍ଚ ଆମ୍ବୁଲାନ୍ସ ଡକାଇଥିଲେ । ଆମ୍ବୁଲାନସ ତ ଆସିଲା, କିନ୍ତୁ ଗାଁରେ ପହଞ୍ଚି ପାରିଲା ନାହିଁ ।
ଗାଁ ଠାରୁ ୩ କିମି ଦୂରରେ ରହିଗଲା ଆମ୍ବୁଲାନ୍ସ । ରୋଗୀର ଏପରି ଅବସ୍ଥା ଦେଖି ନିଜେ ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ିରେ ଥିବା ଷ୍ଟ୍ରେଚରକୁ ବାହର କରି ଗ୍ରାମବାସୀଙ୍କ ସହଯୋଗରେ ରୋଗୀଙ୍କୁ କାନ୍ଧରେ ବୋହି ଆମ୍ବୁଲାନସ ପର୍ଯ୍ୟନ୍ତ ଆଣିଥିଲେ । ପରେ ସେଠାରୁ ଅସୁସ୍ଥ ବ୍ୟକ୍ତିଙ୍କୁ ମେଡ଼ିକାଲକୁ ନିଆଯାଇଥିଲା ।