ମହିଳାଙ୍କ ଗାୟିକୀରେ ମନ୍ତ୍ରମୁଗ୍ଧ ହେଲେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ ଆର ରେହମାନ :  ସୋସିଆଲ ମିଡିଆରେ ସେୟାର କରି କହିଲେ ଅଜ୍ଞାତ, ସୁନ୍ଦର ସ୍ୱର

ମହିଳାଙ୍କ ଗାୟିକୀରେ ମନ୍ତ୍ରମୁଗ୍ଧ ହୋଇ ଏ ଆର ରେହମାନ ବନିଲେ ତାଙ୍କର ଫ୍ୟାନ୍

127

ସୋସିଆଲ ମିଡିଆରେ ଏମିତି ଏକ ପ୍ଲାଟଫର୍ମ ଯେଉଁଠି କିଛି ବି ଫଟୋ ଏବଂ ଭିଡିଓ ଅପଲୋଡ ହୋଇଥାଏ , ତାହା ସାଙ୍ଗେ ସାଙ୍ଗେ ଭାଇରାଲ ହୋଇଯାଏ । ଏହି ଭିଡିଓ ଜରିଆରେ ଅନେକ ନିଆରା ପ୍ରତିଭା ମଧ୍ୟ ସାମ୍ନାକୁ ଆସିଥାଏ ଏବଂ ସେ ସାଙ୍ଗେ ସାଙ୍ଗେ ପରିଚିତ ମଧ୍ୟ ହୋଇଯାଏ । ସେମିତି ଜଣେ ମହିଳା ହେଲେ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲାର ବେବି। ବେବିଙ୍କ ଗୋଟିଏ ଭିଡିଓ ଏବେ ସୋସିଆଲ ମିଡିଆରେ ଧୂମ୍ ମଚାଉଛି। ଏହି ଭିଡିଓରେ ସେ ଗୀତ ଗାଉଛନ୍ତି। ସେ ଏତେ ଭଲ ଗୀତ ଗାଇଛନ୍ତି ଯେ, ତାଙ୍କ ଗୀତ ଶୁଣି ସଙ୍ଗୀତ କମ୍ପୋଜର, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନ୍ ବି ତାଙ୍କ ଫ୍ୟାନ୍ ହୋଇଯାଇଛନ୍ତି। ସେ ସେଇ ମହିଳାଙ୍କୁ ପ୍ରଶଂସା କରିବାକୁ ବି ପଛାଇ ନାହାନ୍ତି।

ଏ ଆର ରେହମାନ୍ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆରେ ଆକାଉଣ୍ଟରେ ଶେୟାର୍ କରିଛନ୍ତି। ଯାହାକୁ ଏବେ ପର୍ଯ୍ୟନ୍ତ ୧୯ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରେ ମହିଳା ଜଣଙ୍କ ‘ଓ ଛଲିୟା’ ଗୀତ ଗାଉଛନ୍ତି। ବାସ୍ତବରେ ମହିଳାଙ୍କ ନାଁ ଗାଁ କେହି ଜାଣି ନଥିଲେ। ଭିଡିଓ ପୋଷ୍ଟ୍ ହେବା ପରେ ଜଣେ ବ୍ୟକ୍ତି କମେଣ୍ଟ୍ କରି ଗୀତ ଗାଇଥିବା ମହିଳାଙ୍କ ନାଁ କହିବା ପରେ ଏବେ ବେବିଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ଏହି ଭିଡିଓ ଦେଖିବା ପରେ ମହିଳା ଜଣଙ୍କୁ ସଙ୍ଗୀତ ନିର୍ଦ୍ଦେଶକ କୋଟେସ୍ୱର ରାଓ ଗୀତ ଗାଇବାକୁ ମଧ୍ୟ ସୁଯୋଗ ଦେଇଛନ୍ତି।