ଦେଶର ବଡ ଦୁର୍ନୀତିର ଦୋଷୀ ନାହାନ୍ତି ! ଟୁଜି ଦୁର୍ନୀତି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ ସିବିଆଇର ସ୍ୱତନ୍ତ୍ର କୋର୍ଟ

40

କନକ ବ୍ୟୁରୋ : ଟୁଜି ଦୁର୍ନୀତି ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟର ରାୟ ଆସିଛି । କୋର୍ଟ ସମସ୍ତଙ୍କ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା ଓ ଡିଏମକେ ସାଂସଦ କାନିମୋଝି ବି ଦୋଷମୁକ୍ତ ହୋଇଛନ୍ତି । ଅର୍ଥାତ ଦେଶର ସବୁଠାରୁ ବଡ ଦୁର୍ନୀତିରେ କେହି ଦୋଷୀ ନୁହନ୍ତି । ମାମଲାରେ ପ୍ରମାଣର ଅଭାବ ଦର୍ଶାଇ ସିବିଆଇ କୋର୍ଟ ରାଜା ଓ କାନିମୋଝିଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ୨୦୧୦ ବହୁ ଚର୍ଚ୍ଚିତ ଟୁଜି ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା । ଟୁଜି ନାଁରେ ଦେଶକୁ ୧ ଲକ୍ଷ ୭୬ ହଜାର କୋଟିର କ୍ଷତି ସହବିାକୁ ପଡିଥିଲା । ମାମଲାରେ ତତକାଳୀନ ଟେଲିକମ ମନ୍ତ୍ରୀ ଏ.ରାଜା ଓ ଡିଏମକେ ସାଂସଦ କାନିମୋଝିକୁ ଜେଲ ଯିବାକୁ ପଡିଥିଲା । ଟୁଜି ଦୁର୍ନୀତି ପ୍ରଥମେ ୨୦୧୦ରେ ସାମ୍ନାକୁ ଆସିଥିଲା । ସିଏଜି ରିପୋର୍ଟରେ କୁହାଯାଇଥିଲା, ତତକାଳୀନ ଟେଲିକମ ମନ୍ତ୍ରୀ ଥିବା ସମୟରେ ଟୁଜି ସ୍ପେକ୍ଟ୍ରମ ଆବଂଟନ ବେଳେ ଦୁର୍ନୀତି ହୋଇଥିଲା । ଆଉ ଏହା ଯୋଗୁଁ ଦେଶକୁ ୧ ଲକ୍ଷ ୭୬ ହଜାର କୋଟିର କ୍ଷତି ପଂହଚିଥିଲା । ଏବେ ମାମଲାରେ ସମସ୍ତେ ଦୋଷମୁକ୍ତ ହେବା ପରେ ତଦନ୍ତ ନେଇ ପ୍ରଶ୍ନ ଉଠିଛି ।

ଏବେ ଆସନ୍ତୁ ଜାଣିବା ଟୁଜି ଦୁର୍ନୀତି କ’ଣ ଥିଲା – ୨୦୧୦ରେ ସିଏଜି ଟୁଜି ଦୁର୍ନୀତିର ଖୁଲାସା କରିଥିଲେ । ଏ.ରାଜା ମନ୍ତ୍ରୀ ଥିବାବେଳେ ଅନୁକମ୍ପା ଦେଖାଇ ଟୁଜି ଲାଇସେନ୍ସ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ମାମଲାରେ ଡିଏମକେ ସାଂସଦ କାନିମୋଝି ବି ଅଭିଯୁକ୍ତ ଥିଲେ । ୨୦୧୨ରେ ସୁପ୍ରିମକୋର୍ଟ ଆବଂଟିତ ହୋଇଥିବା ୧୨୨ ଲାଇସେନ୍ସକୁ ରଦ୍ଦ କରିଦେଇଥିଲେ । ଏପ୍ରିଲ ୨୦୧୧ରେ ସିବିଆଇ କୋର୍ଟ ୮ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା । ମାମଲାରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୟାଲୁ ଆମ୍ମା ଓ ପୂର୍ବତନ ଟେଲିକମ ସଚିବ ସିଦ୍ଦାର୍ଥ ବେହୁରା ବି ଦୋଷମୁକ୍ତ ହୋଇଛନ୍ତି । ଏହା ପରେ ସିବିଆଇର ତଦନ୍ତ ନେଇ ପ୍ରଶ୍ନ ଉଠିଛି । ବିଜେପିକୁ ହମଲା କରିବା ପାଇଁ କଂଗ୍ରେସକୁ ବଡ ଏକ ଅସ୍ତ୍ର ମିଳିଯାଇଛି । ତାମିଲନାଡୁରେ ବି ଡିଏମକେକୁ ସଞ୍ଜିବନି ମିଳିଛି ।

ଟୁଜି ଦୁର୍ନୀତି ରାୟ ପରେ କଂଗ୍ରେସର ପାଲଟା ଆକ୍ରମଣ । ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପରେ ଶାସକ ଦଳକୁ ଜୋରଦାର ଆକ୍ରମଣ କରିଛି ବିରୋଧି କଂଗ୍ରେସ । ବିଜେପିକୁ ଜବାବ ମାଗିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ । ସଂସଦର ଉଭୟ ସଦନରେ ହଙ୍ଗାମା କରିଛନ୍ତି କଂଗ୍ରେସ ସାଂସଦ । ରାଜ୍ୟସଭାରେ ଜୋରଦାର ନାରାବାଜି କରିଛନ୍ତି କଂଗ୍ରେସ ସଦସ୍ୟ । ଫଳରେ ଗୃହକୁ ଦିନ ଅପରାହ୍ନ ୨ଟା ଯାଏ ସ୍ଥଗିତ ରଖାଯାଇଛି । ସେପଟେ ଲୋକସଭାରେ ବି ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ହଙ୍ଗାମା କରିଛି । ଟୁଜି ମାମଲାର ରାୟ କଂଗ୍ରେସର ନୈତିକ ବିଜୟ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ । ବିଜେପି ଦେଶକୁ କ୍ଷମା ମାଗୁ ବୋଲି ସେ ଦାବି କରିଛନ୍ତି । କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଟୁ ଜି ଦୁର୍ନୀତି ରାୟକୁ ନେଇ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ କହିଛନ୍ତି କୋର୍ଟ କେବଳ ପ୍ରମାଣ ଦେଖେ । ତେବେ ଯଦି ସରକାରଙ୍କ ପାଖରେ ଅଧିକ ପ୍ରମାଣ ଅଛି ଉପର କୋର୍ଟକୁ ଯିବା ଉଚିତ୍ ବୋଲି କହିଛନ୍ତି ଆନ୍ନା ।