ଅଣସରକାରୀ ସହାୟକ ଡିଗ୍ରୀ କଲେଜରେ ଯୋଗଦେଲେ ୨୭୪ ଅଧ୍ୟାପକ। ଲୋକସେବା ଭବନରେ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ।

86

କନକ ବ୍ୟୁରୋ: ରାଜ୍ୟର ଅଣସରକାରୀ ସହାୟକ ଡିଗ୍ରୀ କଲେଜରେ ୨୭୪ ଅଧ୍ୟାପକ ଯୋଗଦେଇଛନ୍ତି । ଏହି ଅଧ୍ୟାପକଙ୍କ ମଧରୁ ଇଂରାଜୀରେ ୧୫୬, ରାଜନୀତି ବିଜ୍ଞାନରେ ୧୧୭ ଏବଂ ଗଣିତରେ ଜଣେ ଅଧ୍ୟାପକ ଯୋଗଦେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ନବନିଯୁକ୍ତ ଅଧ୍ୟାପକଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଡିହୋଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କଲେଜ ଶିକ୍ଷାର ଉନ୍ନତି ପାଇଁ ଆମ ଉଚ୍ଚ ଶିକ୍ଷା ଇକୋ ସିଷ୍ଟମକୁ ବୃଦ୍ଧି କରିବାକୁ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନୂତନ ଅଧ୍ୟାପକମାନଙ୍କୁ ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ସିଲାବସରେ ସୀମିତ ନରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଉଚ୍ଚଶିକ୍ଷାରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ । କ୍ରମାଗତ ଭାବେ ଉଚ୍ଚଶିକ୍ଷାର ଏକ କେନ୍ଦ୍ର ପାଲଟିଛି । ବୈଷୟିକ ଜ୍ଞାନଶୈଳୀ ଏବଂ ବୃତ୍ତିଗତ ଅନୁଷ୍ଠାନ ଗୁଡିକ ରାଜ୍ୟରେ ସେମାନଙ୍କ କେନ୍ଦ୍ର ଖୋଲୁଛନ୍ତି ତଥାପି ଯୁବକମାନେସମାଜକୁ ଗଢିବାରେ ଏବଂ ସମାଜର ପରିବର୍ତ୍ତନରେ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ କୌଶଳ ଶିଖିବା ପାଇଁ ପାରମ୍ପରିକ ଡିଗ୍ରୀ ଶିକ୍ଷା ଜରୁରୀ ବୋଲି ସେ କହିଛନ୍ତି ।

କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ ଆମେ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରର ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରିଛୁ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ରହିଥିଲେ ।