ଝାଡ଼ଖଣ୍ଡ ଦୁମକା ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି: ମୃତ ନାବାଳିକାଙ୍କ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ

110

କନକ ବ୍ୟୁରୋ: ଝାଡ଼ଖଣ୍ଡ ଦୁମକା ନାବାଳିକା ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି । ରାଜ୍ୟ ସରକାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରିଛନ୍ତି । ସେପଟେ ଘଟଣାସ୍ଥଳରେ ପହଁଚି ସୁରାକ ସଂଗ୍ରହ କରିଛି ଏଫଏସଏଲ ଟିମ୍ । ମାମଲା ଉପରେ ମଙ୍ଗଳବାର ଶୁଣାଣୀ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ । ହତ୍ୟା ମାମଲାର ସମ୍ପୂର୍ଣ୍ଣ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିବା ପାଇଁ ଝାଡ଼ଖଣ୍ଡ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମୃତ ଅଙ୍କିତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ଦୁମକା ପ୍ରଶାସନକୁ ନିର୍ଦ୍ଦେଶ ଦେଉଛନ୍ତି କୋର୍ଟ । ଶାହାରୁଖ ନାମକ ଯୁବକ ଅଙ୍କିତାଙ୍କୁ ବାରମ୍ବାର ବାରମ୍ବାର ପ୍ରେମ ନିବେଦନ କରି ହତାଶ ହେବା ପରେ ପ୍ରତିଶୋଧ ପରାୟଣ ହୋଇଥିଲା ।

ଅଗଷ୍ଟ ୨୩ ତାରିଖରେ ଅଙ୍କିତା ଶୋଇଥିବା ସମୟରେ ଜଣେ ସହଯୋଗୀଙ୍କ ସହ ମିଶି ପେଟ୍ରୋଲ ଢାଳି ଅଙ୍କିତାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ୫ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖିବୁଝିଥିଲେ ନାବାଳିକା । ମୃତ୍ୟୁ ପୂର୍ବରୁ ନାବାଳିକା ଘଟଣା ଉପରେ ବୟାନ ଦେବା ସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି କହିିଥିଲେ । ସେପଟେ ହତ୍ୟା କରିବା ୨୪ ଘଂଟା ଭିତରେ ଅଭିଯୁକ୍ତ ଶାହାରୁଖ ଗିରଫ କରାଯାଇଛି । ସେପଟେ ଘଟଣାକୁ ନେଇ ଦୁମକା ଜଳୁଛି । ମୃତ ନାବାଳିକାଙ୍କ ପରିବାର ଓ ଦୁମକା ଗ୍ରାମବାସୀ ବିରୋଧ କରିବା ସହ ରାସ୍ତା ଉପରେ ଧାରଣା ଦେଇଛନ୍ତି । ହତ୍ୟା ମାମଲା ପାଇଁ ସୋରେନ ସରକାରଙ୍କୁ ଦାୟୀ କରୁଛି ବିଜେପି । ସେପଟେ ମୃତ ଅଙ୍କିତାଙ୍କ ପରିବାରକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଛନ୍ତି ।