ଚିନ୍ତା ବଢାଇଲା ୨ ହଜାର ଟଙ୍କିଆ ନୋଟ୍ । ତରବରିଆ ହେଇ ସୁନା କିଣିଲେ ଲୋକ, ପେଟ୍ରୋଲ ଦୋକାନରେ ମଧ୍ୟ ୨ ହଜାର ନୋଟ୍ ଧରି ଭିଡ ।

1,143

କନକ ବ୍ୟୁରୋ: କିଛିଦିନ ହେଲା ବଜାରରୁ ଉଭାନ ହୋଇ ଯାଇଥିଲା ୨ ହଜାର ଟଙ୍କିଆ ନୋଟ୍ । କିନ୍ତୁ ନୋଟ୍ ପ୍ରତ୍ୟାହାର କରିବା ପାଇଁ ଆରବିଆଇ ଘୋଷଣା ପରେ ଏବେ ପୁଣିଥରେ ବଜାରରେ ଦେଖିବାକୁ ମିଳିଛି ଏହି ବଡ ନୋଟ୍ । ଯେଉଁମାନେ ନିଜ ପାଖରେ ୨ ହଜାର ଟଙ୍କିଆ ନୋଟ୍ ରଖିଥିଲେ, ସେମାନେ ସୁନା କିଣୁଥିବା ଦେଖିବାକୁ ମିଳିଛି । ସେହିପରି ପେଟ୍ରୋଲ ଟାଙ୍କିରେ ବି ଦେଖିବାକୁ ମିଳିଛି ୨ ହଜାର ଟଙ୍କିଆ କାରବାର ।

  • ଚିନ୍ତା ବଢାଇଲା ୨ ହଜାର ଟଙ୍କିଆ ନୋଟ୍
  • ନୋଟ ଧରି ସୁନା ଦୋକାନରେ ପହଞ୍ଚିଲେ ଗ୍ରାହକ

ସୁନା ଦୋକାନରେ ଭିଡ । ନା ଅଛି ଅକ୍ଷୟ ତୃତୀୟା ନା ମିଳୁଛି କିଛି ସ୍ୱତନ୍ତ୍ର ଅଫର । ତଥାପି ସୁନା ଗହଣା କିଣିବା ପାଇଁ ଦୋକାନରେ ଜମିଛି ପ୍ରବଳ ଭିଡ । ନିଜ ମନ ପସନ୍ଦର ଗହଣା କିଣିବାରେ ବ୍ୟସ୍ତ ଅଛନ୍ତି ଗ୍ରାହକ । ଚର୍ଚ୍ଚା ହେଉଛି, ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ଘୋଷଣା ପରେ ଗହଣା ଦୋକାନରେ ଦେଖିବାକୁ ମିଳୁଛି ଏମିତି ଦୃଶ୍ୟ । ୨ ହଜାର ଟଙ୍କିଆ ନୋଟ ଧରି ସୁନା ଗହଣା କିଣିବା ପାଇଁ ଦୋକାନରେ ପହଞ୍ଚୁଛନ୍ତି ଗ୍ରାହକ ।

  • ପେଟ୍ରୋଲ ପମ୍ପରେ ୨ ହଜାର ଟଙ୍କିଆ ନୋଟ
  • ୨ ହଜାର ଟଙ୍କିଆ ନୋଟ ଦେଇ ପକାଉଛନ୍ତି ତେଲ

୨ ହଜାର ଟଙ୍କା ନୋଟ ଅଚଳ ହୋଇଯିବାର ଖବର ଅନେକଙ୍କୁ ଚିନ୍ତାରେ ପକାଇଛି । ଯେଉଁମାନେ ୨ ହଜାର ଟଙ୍କିଆ ନୋଟ ପାଖରେ ରଖିଥିଲେ, ଏବେ ସେମାନେ ସେହି ନୋଟ ଧରି ପେଟ୍ରୋଲ ପମ୍ପ ଆସୁଛନ୍ତି । ଶହେ ଦୁଇ ଶହ ଟଙ୍କାର ତେଲ ପକାଇ ଲୋକେ ୨ ହଜାର ଟଙ୍କାର ନୋଟ୍ ଦେଉଛନ୍ତି ତ ଆଉ କେତେକ ଗ୍ରାହକ ୨ ହଜାର ଟଙ୍କାର ତେଲ ପକାଉଛନ୍ତି । ତେବେ ଲୋକେ ଅଯଥାରେ ଭୟଭିତ ହେଉଥିବା କହିଛନ୍ତି ସଂଜୟ ଲାଠ ।

୨ ହଜାର ଟଙ୍କିଆ ନୋଟ ଅଚଳ ହେବାରୁ ସାଧାରଣ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପଡିବନି ବୋଲି ବିଶେଷଜ୍ଞ କହିଛନ୍ତି । କିନ୍ତୁ ବେଆଇନ ଭାବେ ଟଙ୍କା ରଖିଥିବା ଲୋକ ଅସୁବିଧାରେ ପଡିପାରନ୍ତି ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ । ତେବେ ଦିଲ୍ଲୀ, ସୁରଟ ଭଳି ବଡ ବଡ ସହରରେ ସୁନାର ଚାହିଦା ବଢିବାରେ ଲାଗିଛି । ଅନୁମାନ କରାଯାଉଛି, ୨ ହଜାର ଟଙ୍କିଆ ନୋଟ ରଖିଥିବା ଲୋକ ଏବେ ସୁନା କିଣିବାରୁ ଏଭଳି ଚାହିଦା ବଢ଼ୁଛି ।