କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତା ନିର୍ମାଣରେ ୨ କୋଟିର ଦୁର୍ନୀତି: ସତ ଲୁଚାଇବା ପାଇଁ କାମ ସରିବା ପରେ ବି ଚାଲିଛି କାମ

79

କନକ ବ୍ୟୁରୋ: ପଦାରେ ପଡ଼ିଲା ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ନିର୍ମାଣରେ ଦୁଇ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଦୁର୍ନୀତି କରାଯାଇଛି । ଦୁର୍ନୀତିକୁ ଘୋଡ଼ାଇବା ପାଇଁ କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ବି ଚାଲିଛି କାର୍ଯ୍ୟ । ଏପରି ଚିତ୍ର ଆସିିଛି କୋଣାର୍କ ଗୋପ ବ୍ଲକରୁ ।

ପୁରୀ–କୋଣାର୍କ ବେଳାମାର୍ଗ କାମରେ ବଡ ଦୁର୍ନୀତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବାଲିକପିଳେଶ୍ୱର ଛକରୁ-ନାଗପୁର ପର୍ଯ୍ୟନ୍ତ ରାସ୍ତା କାମରେ ୨ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ୪ ମାସ ମଧ୍ୟରେ ସରିଥିବା ରାସ୍ତାକୁ ଦେଖିଲେ ଦୁର୍ନୀତିରେ ଗନ୍ଧ ଜଳଜଳ ହୋଇ ଦେଖାଯାଉଛି । ରାସ୍ତା ସାରା ଖାଲଖମା, କେଉଁଠି ରାସ୍ତାରୁ ପିଚୁ ଉଠିଗଲାଣି ତ ଆଉ କେଉଁଠି କଲଭଟ ମଝିରେ ବିପଦକୁ ଅପେକ୍ଷା କରିଛି ବଡ଼ବଡ଼ ଗାତ । ଏନେଇ କୋଣାର୍କ ଆଂଚଳିକ ବିକାଶ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଛି । ଘଟଣାଟି ସାମ୍ନାକୁ ଆସିବା ପରେ ସମ୍ପୂର୍ଣ୍ଣ ଦର୍ଶାଯାଇଥିବା ରାସ୍ତାକୁ ତରବରିଆ ଭାବେ ମରାମତି କାର୍ଯ୍ୟ କରୁଛନ୍ତି ଠିକାଦାର । ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

୨୦୨୧, ସେପ୍ଟମ୍ବର ମାସରୁ ରାସ୍ତା କାମ ସରିଥିବା ନେଇ କୋଣାର୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କହୁଯାଇଛି । ଏପଟେ କିନ୍ତୁ ଏବେ ବି ରାସ୍ତା କାମ ଚାଲିଛି । ଯାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୨୦୧୮-୧୯ରେ ବେଳାମାର୍ଗ ଠାରୁ-ନାଗପୁର ରାସ୍ତା ପାଇଁ ୫ କୋଟି ୬୦ ଲକ୍ଷ ଟଙ୍କା ମଂଜୁର ହୋଇଛି । ରାମଚଣ୍ଡି ଇନ୍ଫ୍ରାଷ୍ଟ୍ରକଚ୍ରକୁ କାମ ଦିଆଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ପୂର୍ବରୁ ଏହି ରାସ୍ତାର ନାଗପୁର ପଟୁ ୫ କିିମି ପର୍ଯ୍ୟନ୍ତ କାମ ଅନ୍ୟ ଏକ ସଂସ୍ଥା କରିସାରିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୁରୁଣା କାମକୁ ନୂତନ ଦର୍ଶାଇ ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି ।

ଯଦି ଏହା ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ତଦନ୍ତ କରା ନଯାଏ ତେବେ କୋଣାର୍କ ଆଂଚଳିକ ବିଭାଶ ପରିଷଦ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପଯ୍ୟନ୍ତ ବନ୍ଦ କରି ଦିଆଯିବ ବୋଲି ସଭାପତି ସୁଭାଷ ନାୟକ କଡ଼ା ଚେତାବନୀ ଦେଇଛନ୍ତି ।