ଦିବ୍ୟାଙ୍ଗଙ୍କ ପାଇଁ ମୋଟରାଇଜ ଟ୍ରାଇସାଇକେଲ । ଥରେ ଚାର୍ଜ କଲେ ଗଡିଯିବ ୫୦ କିଲୋମିଟର । ଜାଣନ୍ତୁ କେତେ ଅଛି ମୂଲ୍ୟ ?

114

କନକ ବ୍ୟୁରୋ: ହାତରେ ପେଡାଲ ମାରି ମାରି ଆଉ ରାସ୍ତାରେ ପରିଶ୍ରମ କରିବେନି ଦିବ୍ୟାଙ୍ଗ କି ଉଠାଣି ଜାଗାରେ ଦମ ଲଗାଇ ଅଣନିଶ୍ୱାସୀ ହୋଇଯିବେନି ଦିବ୍ୟାଙ୍ଗ ବ୍ୟକ୍ତି । କାରଣ ସେମାନଙ୍କ ସବୁ ସମସ୍ୟାର ସମାଧାନ କରିବ ଏ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ । ଯେଉଁଥିଲେ ବାଇକ ଭଳି ଚାବି ଅନ କରି ଖାଲି ଏକ୍ସିଲେଟର ମୋଡିଦେଲେ ରାସ୍ତାରେ ଗିଡି ଗିଡି ହୋଇ ଗଡିଯିବ ଦିବ୍ୟାଙ୍ଗଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ମୋଟରାଇଜ ଟ୍ରାଇସାଇକେଲ । ଯାହା ଦିବ୍ୟାଙ୍ଗଙ୍କ ଯାତାୟତକୁ ସୁବିଧା ଓ ସୁଗମ କରିବ ।

ତେବେ ଦିବ୍ୟାଙ୍ଗମାନଙ୍କ କଷ୍ଟ ଯନ୍ତ୍ରଣାକୁ ପ୍ରତିଦିନ ପାଖରୁ ଦେଖି ସେମାନଙ୍କ ପାଇଁ ସୁବିଧା କରିବାକୁ ଭିନ୍ନ କିଛି ଚିନ୍ତା କରି ଏହି ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ନିର୍ମାଣ କରିଛନ୍ତି କଟକ ଯୋବ୍ରା ଅଞ୍ଚଳର ମେକାନିକ ରାଜେନ୍ଦ୍ର ବେହେରା । ସାଧାରଣ ସାଇକେଲରେ ଯନ୍ତ୍ରାଂଶ ଖଞ୍ଜି ୬୦ ବର୍ଷର ରାଜେନ୍ଦ୍ର ଦିବ୍ୟାଙ୍ଗମାନଙ୍କ ପାଇଁ ନୂଆକିଛି କରିଦେଖାଇଛନ୍ତି । ଦୀର୍ଘ ୨ ମାସ ଭିତରେ ଏହି ଟ୍ରାଇସାଇକେଲ ତିଆରି ହୋଇଛି ଯାହାକୁ ଦୁଇ ଗୋଡ, ଗୋଟିଏ ହାତ ଅଚଳ ଥିବା ଲୋକ ବି ଆରାମରେ ଗୋଟିଏ ହାତରେ ଚଲାଇ ପାରିବେ ।

ବ୍ୟାଟେରୀ ଚାଳିତ ଏହି ତିନିଚକିଆ ଗାଡିରେ ଗୋଟିଏ ପଟରେ ହିଁ ଏକ୍ସିଲେଟର, ବ୍ରେକ, ଚାବି ଏବଂ ହ୍ୟାଣ୍ଡେଲ ରହିଛି । ଥରକେ ଦୁଇରୁ ଅଢେଇ ଘଣ୍ଟା ଚାର୍ଜ କଲେ ଏହି ମୋଟରାଇଜ ସାଇକେଲ ୪୦ରୁ ୫୦ କିଲୋମିଟର ଯାଏଁ ଚାଲିପାରିବାର କ୍ଷମତା ରଖିଛି । ତେବେ ଏହାର ବେଗ ୨୨ରୁ ୨୫ ଥିବା ବେଳେ ଦିବ୍ୟାଙ୍ଗଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ କମାଇ ୧୫ରୁ ୧୮ରେ ପରିଣତ କରିଛନ୍ତି ରାଜେନ୍ଦ୍ର । ଖାଲି ଦିନ ନୁହେଁ ରାତିରେ ଚଳପ୍ରଚଳ ପାଇଁ ମଧ୍ୟ ଟ୍ରାଇସାଇକେଲରେ ଲାଇଟ ଲାଗିଛି । ଏହାସହ ଜିନିଷପତ୍ର ବୁହାବୁହି ପାଇଁ ପଛରେ ଏକ ବାସ୍କେଟ ବି ଲଗାହୋଇଛି ।

ଟ୍ରାଇସାଇକେଲ ତିଆରି ପାଇଁ ରାଜେନ୍ଦ୍ରଙ୍କୁ ୨୦ରୁ ୨୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ଯଦି କେହି ପୁରୁଣା ଟ୍ରାଇସାଇକେଲକୁ ଏମିତି ବ୍ୟାଟେରୀ ଚାଳିତ କରିବାକୁ ଚାହୁଁଛନ୍ତି ତେବେ ୧୭ରୁ ୧୮ ହଜାର ଟଙ୍କା ଖର୍ଚ୍ଚ ହେବ । ଆଉ ଯଦି କେହି ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଏହି ନମ୍ବର ୯୯୩୭୦୩୬୪୬୮ରେ ଯୋଗାଯୋଗ କରି ଅର୍ଡର କରିପାରିବେ । ଯାହା ଦୁଇ ଦିନ ଭିତରେ ଡେଲିଭରି ହୋଇଯିବ । ଏବଂ ଏହି ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ନେଇ ଜଣେ ଦିବ୍ୟାଙ୍ଗ ବିଭିନ୍ନ ବ୍ୟବସାୟ କରି ଆତ୍ମନିର୍ଭର ହୋଇପାରିବ ।