ଅନ୍ଧବିଶ୍ୱାସକୁ ଚ୍ୟାଲେଞ୍ଜ କରୁଥିବା ଜଣେ ବ୍ୟକ୍ତି ! ପୁଅଙ୍କ ନାଁ ରଖିଛନ୍ତି ରାବଣ , ଦୁର୍ଯୋଧନ , ଘରର ନାଁ ରଖିଛନ୍ତି ‘ମୃତ୍ୟୁ’ । 

400

ଗୁଜୁରାଟର ହୀରା ବ୍ୟବସାୟୀ ବାବୁ ବଘାନୀ ନିଜ ପ୍ରଚେଷ୍ଟାରେ ଆଜି ନିଜ ବ୍ୟବସାୟର ଶୀର୍ଷରେ ପହଁଚି ପାରିଛନ୍ତି । କିନ୍ତୁ ତାଙ୍କ ବ୍ୟବସାୟ ଏବଂ ପ୍ରସିଦ୍ଧିକୁ ନେଇ ଯେତେ ଚର୍ଚ୍ଚା ନାହିଁ ତାଠାରୁ ଅଧିକ ଚର୍ଚ୍ଚା ରହିଛି ଅନ୍ଧବିଶ୍ୱାସକୁ ନେଇ ଚ୍ୟାଲେଞ୍ଜ କରୁଥିବା ତାଙ୍କ ବ୍ୟକ୍ତିତ୍ୱ ଉପରେ । ବାବୁ ବଘାନୀ ଯେତେବେଳେ ପ୍ରଥମ ଥର ପାଇଁ ପିତା ହେବାର ସୌଭାଗ୍ୟ ଅର୍ଜନ କଲେ ସେ ତାଙ୍କ ପ୍ରଥମ ପୁଅ ନାଁ ଭାରତୀୟ ପୌରାଣିକ କଥାର ବିଶିଷ୍ଟ ଖଳନାୟକ ଦାନବରାଜ ରାବଣର ନାଁ ଦେଇଥିଲେ । ଲୋକମାନଙ୍କୁ ଏଭଳି ଏକ ନାଁ ରଖିଥିବା ପିତାଙ୍କ ଚିନ୍ତା ଉପରେ ଆଶ୍ଚର୍ଯ୍ୟ ହେଲା କିନ୍ତୁ ବଘାନୀଙ୍କ ଉପରେ ଏହାର କିଛି ଫରକ ପଡିଲା ନାହିଁ । ସେ ନିଜ ଦ୍ୱିତୀୟ ପୁଅର ନାଁ ମହାଭାରତର ଖଳନାୟକ ଦୁର୍ଯୋଧନ ରଖିଥିଲେ । ଏହାପରେ ସମାଜରୁ ଅନ୍ଧବିଶ୍ୱାସର ରୋଗ ଦୂରେଇବା ପାଇଁ ସେ ଘରର ବାସ୍ତୁକୁ ମଧ୍ୟ ବଦଳାଇ ଦେଲେ ଏବଂ ଘର ନାଁ ‘ମୃତ୍ୟୁ’ ରଖିଦେଲେ ।

ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିôବା ବଘାନୀ କୁହନ୍ତି , ଅନ୍ଧବିଶ୍ୱାସ ପାଇଁ ମୋ ଜୀବନରେ କୌଣସି ସ୍ଥାନ ନାହିଁ । ଅର୍ଥ ଅଭାବରୁ ଅଧାରେ ପାଠ ଛାଡିଥିବା ବଘାନୀଙ୍କୁ ଶିକ୍ଷାର ଏତେ ମୋହ ଥିଲା ଯେ ସେ ଲାଓ-ସି , କନଫୁସିୟସ୍ , ମୁସା ,ଶିନ୍ତୋ,ମହମ୍ମଦ , ମହାବୀର,ଜୀସସ୍ ଭଳି ଧାର୍ମିକ ଏବଂ ଦାର୍ଶନିକ ଗ୍ରନ୍ଥ ପଢିବାକୁ ଲାଗିଥିଲେ । ବଘାନୀ କୁହନ୍ତି , ଲୋକଙ୍କୁ ରାବଣର ପୁତ୍ତଳିକା ଜାଳିବା ପୂର୍ବରୁ ଧର୍ମ ସହ ଜଡିତ ଥିବା ଅନ୍ଧବିଶ୍ୱାସକୁ ଜଳାଇବା ଦରକାର ।