ପୁଣି ପରାକ୍ରମ ଦେଖାଇଲେ ଭାରତର ବୀରପୁତ୍ର ଅଭିନନ୍ଦନ : ବାୟୁସେନା ଦିବସରେ ଉଡ଼ାଇଲେ ଲଢ଼ୁଆ ବିମାନ, ତାଳିରେ ଫାଟିପଡ଼ିଲା ହିଣ୍ଡନ୍ ଏୟାରବେସ୍ 

659
  • ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଏୟାରଫୋର୍ସ ଡେ ରେ ଉଡ଼ାଇଲେ ମିଗ୍-୨୧
  • ତିନି ମିଗ ବିମାନର ନେତୃତ୍ୱ ନେଉଥିବା ଅଭିନନ୍ଦନ ଏୟାରବେସରେ ପ୍ରବେଶ କରିବା ପରେ ପରେ ତାଳିରେ ଗୁଞ୍ଜରିତ ହୋଇଥିଲା ଆକାଶ

 

ପାକିସ୍ତାନର ଏଫ୍୧୬ ବିମାନକୁ ଶତ୍ରୁ ମାଟିରେ ଖସାଇଥିବା ବୀର ପୁତ୍ର ଅଭିନନ୍ଦନ ବର୍ଦ୍ଧମାନ ଆଜି ଗାଜିଆବାଦ ହିଣ୍ଡନ୍ ଏୟାରବେସରେ ଲଢ଼ୁଆ ମିଗ୍-୨୧ ବିମାନ ଉଡ଼ାଇଛନ୍ତି । ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ସମ୍ମାନିତ କରାଯାଇଛି । ଆଜି ଭାରତ ପାଳୁଛି ୮୭ ତମ ବାୟୁସେନା ଦିବସ । ଏଥିପାଇଁ ହିଣ୍ଡନ୍ ଏୟାରବେସରେ ବିଭିନ୍ନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଉ ଏହି ଅବସରରେ ବାଲାକୋଟ୍ ଏୟାରଷ୍ଟ୍ରାଇକରେ ଭାଗ ନେଇଥିବା ପାଇଲଟ୍ ଓ ସ୍କ୍ବାଡନ ଲିଡର ଅଭିନନ୍ଦନ ବର୍ଦ୍ଧମାନ ବିମାନ ଉଡାଣ କରିଛନ୍ତି ।

 

ଏହି  କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ସାମିଲ୍ ହୋଇଛି ଚିନୁକ୍ ହେଲିକ୍ୟାପ୍ଟର, ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍  ଓ ଯୁଦ୍ଧ ହେଲିକ୍ୟାପ୍ଟର ଅପାଚେ ।  ତେବେ ଏହି ଅବସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ବାୟୁସେନା ହିରୋ  ଅଭିନନ୍ଦନ । ଅଭିନନ୍ଦନ ଏୟାରବେସରେ ପ୍ରବେଶ କରିବା ପରେ ପରେ ତାଳିରେ ଗୁଞ୍ଜରିତ ହୋଇଥିଲା ଆକାଶ । ସେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ଲଢୁଆ ବିମାନର ପିଛା କରୁଥିବା ସମୟରେ ପାକିସ୍ତାନ ସୀମାରେ ପ୍ରବେଶ କରି ଏଫ୍-୧୬ କୁ ମାରି ଗଡାଇଥିଲେ । ଏହାପରେ ତାଙ୍କ ନିଜ ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ ପିଓକେରେ ଅବତରଣ କରିବା ପରେ ପାକ୍ ସେନା ତାଙ୍କୁ ନେଇ ଯାଇଥିଲା । ହେଲେ  ଭାରତର ଚାପରେ ପାକ୍ ମୁଣ୍ଡ ନୂଆଇଁ ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ।

ନିର୍ଭୀକ ଅଭିନନ୍ଦନଙ୍କୁ ତାଙ୍କ ବୀରତ୍ୱ ପାଇଁ ଚାରିଆଡେ ପ୍ରଶଂସା କରାଯାଇଥିଲା । ଆଜି ବାୟୁସେନାର ପ୍ରତିଷ୍ଠା ଦିବସରେ ତାଙ୍କ ସ୍କ୍ୱାଡ୍ରନକୁ ସମ୍ମାନିତ କରାଯାଇଛି । ଆଜି ସେ ମିଗ୍ ୨୧ ମଧ୍ୟ ଉଡାଇଛନ୍ତି ।