ଏମିତି ଚାଲିଛି ଆମ ସ୍ୱାସ୍ଥ୍ୟ ସେବା । ରୋଗୀ ବଦଳରେ ଫର୍ଣ୍ଣିଚର ନେଉଛି ୧୦୮ ଆମ୍ବୁଲାନ୍ସ

46

କନକ ବ୍ୟୁରୋ : ୧୦୮ ଆମ୍ବୁଲାନ୍ସରେ ରୋଗୀ ବଦଳରେ ବୁହା ହେଉଛି କାଠ ନିର୍ମିତ ଆସବାବପତ୍ର । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ଉପାନ୍ତ ଅଞ୍ଚଳ ମାଲକାନଗିରିରେ ଦେଖିବାକୁ ମିଳିଛି । ଯେତେବେଳେ ଉପାନ୍ତ ଅଞ୍ଚଳରେ ଠିକ୍ ସମୟରେ ରୋଗୀଙ୍କ ପାଇଁ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନାହିଁ । ସେଠାରେ ଆମ୍ବୁଲାନ୍ସ ମଧ୍ୟରେ କାଠ ଆସବାବପତ୍ର ବୁହାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ଘଟଣା ଅନୁଯାୟୀ, ମାଲକାନଗିରି ଜୋଲା ଅଞ୍ଚଳରେ ଏକ ଆମ୍ବୁଲାନ୍ସରେ ଫର୍ଣ୍ଣିଚର ଲଦା ହୋଇ କାଳିମେଳା ଅଭିମୁଖେ ଯାଇଥିଲା । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ତେବେ ଆମ୍ବୁଲାନ୍ସରେ ପ୍ରଥମ ଥର ପାଇଁ ଫର୍ଣ୍ଣିଚର ବୁହାଯାଉଥିବା ଘଟଣା ସାମ୍ନାକୁ ଆସିଛି । ସବୁଠୁ ବଡ କଥା ହେଲା, ଆମ୍ବୁଲାନ୍ସରେ ମଧ୍ୟରେ ଫର୍ଣ୍ଣିଚର ନେବା ପାଇଁ କିଏ ଦେଇଥିଲା ଅନୁମତି ଓ କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସରେ କାଠ ସାମଗ୍ରୀ ବୁହା ହେଲା ସେନେଇ ପ୍ରଶ୍ନ ଉଠିଛି ।

ପୂର୍ବରୁ ଦରକାର ବେଳେ ଆମ୍ବୁଲାନ୍ସ ନ ପହଂଚିବାରୁ ରୋଗୀଙ୍କ ଜୀବନ ଯାଉଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଏପରିକି ଆମ୍ବୁଲାନ୍ସ ନ ମିଳିବାରୁ ମୃତଦେହକୁ ଲୋକେ କାନ୍ଧରେ ବୋହିନେବା ଭଳି ଘଟଣାର ନଜିର ରହିଛି । କିନ୍ତୁ ଏଭଳି ସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟରେ ଫର୍ଣ୍ଣିଚର ବୁହା ହେବା ଘଟଣା ପ୍ରଶାସନର ଖାମଖିଆଲ ମନୋଭାବକୁ ପଦାରେ ପକାଇଛି । ବିଭାଗୀୟ ଅଧିକାରୀ ଏ ସମ୍ପର୍କରେ ଅବଗତ ଥିଲେ କି ନାହିଁ, ଯଦି ନଥିଲେ ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏବେ ତା ଉପରେ ନଜର ରହିବ ।