କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ: ଠପ୍ ହୋଇଗଲା ଯାନବାହନ, ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଲା ବନ୍ଦ ବେଳର ୧୦ଟି ବଡ଼ ଘଟଣା ।

104
କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦଳ ଦକ୍ଷରୁ ୬ଘଂଟିଆ ବନ୍ଦ ପାଳନ କରାଯାଇଛି । ଆଉ ଏହି ବନ୍ଦ ପାଳନ ବେଳେ ସାରା ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଛି, ପ୍ରତିବାଦର ଭିନ୍ନ ଭିନ୍ନ ଚିତ୍ର । ଓଡ଼ିଶାର ବନ୍ଦର ପ୍ରତିବାଦ ସମୟରେ ଆସିଥିବା ୧୦ଟି ବଡ଼ ଘଟଣା ବାବଦରେ ଜାଣନ୍ତୁ ।
(ଦୃଶ୍ୟ-୧) ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ ଛକରୁ ଆସିଥିଲା ଏହି ଚିତ୍ର । କଂଗ୍ରେସର ପ୍ରତିବାଦ ସମୟରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଅଟୋ ଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଥିଲେ । ବନ୍ଦ ଘୋଷଣା ସତ୍ୱେ କାହିଁକି ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଉଛି ବୋଲି ପ୍ରଶ୍ନ କରିଥିଲେ ପ୍ରତିବାଦକାରୀ । ଆଉ ଉତ୍କ୍ଷିପ୍ତ ହୋଇ ଅଟୋ ଚାଳକଙ୍କୁ ମାରପିଟ୍ କରିଥିବା ଚିତ୍ର କ୍ୟାମେରାରେ କଏଦ୍ ହୋଇଥିଲା ।
(ଦୃଶ୍ୟ-୨)ସେହିପରି ଭୁବନେଶ୍ୱର ମାଷ୍ଟର କ୍ୟାନିଟିନ୍ ଅଂଚଳରେ ସକାଳୁ ସକାଳୁ ଗ୍ରାହକଙ୍କ ଅପେକ୍ଷାରେ ଖୋଲିଥିବା ଏକ ଜଳଖିଆ ହୋଟେଲ ଉପରେ ପଡ଼ିଥିଲା କଂଗ୍ରେସ କର୍ମୀଙ୍କ ନଜର । ପିକେଟିଂ କରୁଥିବା ଆନ୍ଦୋଳନକାରୀମାନେ ଝୁମ୍ପୁଡ଼ି ହୋଟେଲରେ ପଶି, ହୋଟେଲ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ।
(ଦୃଶ୍ୟ-୩) ଏପଟେ ରାସ୍ତାକଡ଼ରେ ଛୋଟିଆ ଠେଲାଟିଏ କରି ପାଉରୁଟି ପାନପୁଡ଼ିଆ ବିକ୍ରି କରୁଥିବା ଜଣେ ବୃଦ୍ଧା ମହିଳାଙ୍କୁ ଠେଲା ବନ୍ଦ କରିବାକୁ କହିଥିଲେ ଆନ୍ଦୋଳନକାରୀ । ବୃଦ୍ଧା ଜଣକ ଯେତେ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣିବା ମୁଡ୍ରେ ନଥିଲେ । ଶେଷରେ ବୃଦ୍ଧା ଜଣକ ବାଧ୍ୟ ହୋଇ ଠେଲା ଦୋକାନକୁ ବନ୍ଦ କରିଥିଲେ ।
(ଦୃଶ୍ୟ-୪) ପେଟ୍ରୋଲ ଦର ବୃଦ୍ଧି ନେଇ ଓଡ଼ିଶା କଂଗ୍ରେସ ଓଡିଶା ବନ୍ଦ କରିଥିବା ବେଳେ ବାଇକରେ ରାଲି କରିବା ଚର୍ଚ୍ଚା ସୃଷ୍ଟି କରିଛି । ତେଲ ଦର ପାଇଁ ପ୍ରତିବାଦ ହେଉଥିବା ବେଳେ ସଂଖ୍ୟାଧିକ ବାଇକ୍ରେ ତେଲ ପୋଡ଼ି ଛାତ୍ର କଂଗ୍ରେସର ସଦସ୍ୟମାନେ ରାଲି କରିଛନ୍ତି । ଏପଟେ ଡିସିପି କହିଛନ୍ତି-ବିନା ହେଲମେଟରେ ରାଲି କରୁଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
(ଦୃଶ୍ୟ-୫) ଛାତ୍ର ଓ ଯୁବକ କଂଗ୍ରେସ କର୍ମୀ ମାନେ ଏଜି ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢି ପ୍ରତିବାଦ କରିଥିଲେ । ଟ୍ରାଫିକ ପୋଷ୍ଟ ଉପରୁ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହା ପରେ ସେଠାରେ ବସି ଧାରଣା
(ଦୃଶ୍ୟ-୬)ନବରଙ୍ଗପୁରରେ ଦେଖିବାକୁ ମିଳିଛି ଅଭିନବ ପ୍ରତିବାଦ । କଂଗ୍ରେସ ନେତା, କର୍ମୀ ମାନେ ଶଗଡ ଗାଡିରେ ରାଲି କରି ତେଲ ଦର ଓ ରୋଷେଇ ଗ୍ୟାସଦର ବୃଦ୍ଧିର ପ୍ରତିବାଦ କରିଛନ୍ତି । ଶଗଡ ଗାଡିରେ ଗ୍ୟାସ ସିଲିଣ୍ଡର ଲଦି ପ୍ରତିବାଦ କରାଯାଇଛି । ଜଣେ କଳାକାର ଶଗଡ ଉପରେ ଛିଡା ହୋଇ ମୋଦିଙ୍କ ବେଶରେ ଅଭିନୟ ମାଧ୍ୟମରେ ସମାଲୋଚନା କରିଥିଲେ ।
(ଦୃଶ୍ୟ-୭) ପିପିଲି ରାସ୍ତା ଉପରେ ଜଳିଆ ନିଆଁ । କଂଗ୍ରେସର ଓଡ଼ିଶା ବନ୍ଦ ପ୍ରତିବାଦ ସମୟରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଟାୟର ଜାଳି ପ୍ରତିବାଦ କରିଥିଲେ । ପ୍ରତିବାଦ ସମୟରେ କଂଗ୍ରେସ ନେତା ଓ କର୍ମୀମାନେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ ।
(ଦୃଶ୍ୟ-୮) ବନ୍ଦ  ପାଳନ ଯୋଗୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଲୋକେ ଗନ୍ତବ୍ୟ ସ୍ଥଳରେ ପହଚିଂବା ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଦୀର୍ଘ ସମୟ ଧରି ବସଷ୍ଟାଣ୍ଡରେ ଅଟକି ରହିଥିଲେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।
(ଦୃଶ୍ୟ-୯) ଓଡ଼ିଶା ବନ୍ଦ ଯୋଗୁଁ ବିମାନଯାତ୍ରୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବିମାନରେ ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର ପହଂଚିଥିବା ଯାତ୍ରୀ ବିମାନବନ୍ଦରରେ ଅଟକି ରହିଥିବା ବେଳେ ବିମାନବନ୍ଦରକୁ ଯିବାକୁ ଚାହୁଁଥିବା ଯାତ୍ରୀମାନେ ପ୍ରଭାବିତ ହୋଥିଲା ।
(ଦୃଶ୍ୟ-୧୦)ଏସବୁ ଭିତରେ ଭୁବନେଶ୍ୱର ଜୟଦେବ ବିହାର ଛକରେ ଦେଖିବାକୁ ମିଳିଥିବା ଏକ ଅଭାବନୀୟ ଚିତ୍ର । କାମ ଅପେକ୍ଷାରେ ରହିଥିବା ଦିନ ମଜୁରିଆଙ୍କ ଗୋଟିଏ ଓଳିର କାମ ପ୍ରଭାବିତ ହୋଇଛି । କାମ ଅପେକ୍ଷାରେ ରାସ୍ତାକଡ଼ରେ ଚାହିଁ ରହିଥିବା ଶ୍ରମିକମାନଙ୍କୁ ବନ୍ଦ ପ୍ରତିବାଦ ଯୋଗୁଁ ନିରାଶ ହେବାକୁ ପଡ଼ିଥିଲା ।