କନକ ବ୍ୟୁରୋ : ସୁନା ସ୍ମଗଲିଂର ହବ ପାଲଟିଛି ରାଜଧାନୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର । ସୁନା ଚୋରାଚାଲାଣକାରୀ ଭୁବନେଶ୍ୱରକୁ ସୁନା ଚୋରାଚାଲାଣ ପାଇଁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି । ଆଜି ପୁଣିଥରେ ୧ କେଜି ସୁନା ଚାଲାଣ ବେଳେ ଭୁବନେଶ୍ୱର ବିମାନବନ୍ଦରରୁ ଧରାପଡ଼ିଛନ୍ତି ଦୁଇ ଯାତ୍ରୀ । ସୁନା ସ୍ମଗଲିଂରେ ମିଳିଛି ଜଗତସିଂହପୁର ଲିଙ୍କ୍ । ଦୁବାଇ ଓ ବ୍ୟାଙ୍କକରୁ ଦିଲ୍ଲୀ ଦେଇ ସୁନା ଚୋରା ଚାଲାଣ କରୁଥିବାବେଳେ ଧରାପଡିଛନ୍ତି ଦୁଇ ଯାତ୍ରୀ । ଜବତ ହୋଇଥିବା ସୁନାର ମୂଲ୍ୟ ୩୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିମାନ ବନ୍ଦରର କଷ୍ଟମ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଅଧିକାରୀମାନେ ଭିନ୍ନ ଭିନ୍ନ ସମୟରେ ଚଢ଼ାଉ କରି ସୁନା ଚାଲାଣକାରୀଙ୍କୁ ଧରିଥିଲେ। କଷ୍ଟମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଓ ଜଗତସିଂହପୁର ଅଞ୍ଚଳର ୨ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ଦିଲ୍ଲୀର ଯାତ୍ରୀ ଜଣକ ବ୍ୟାଙ୍କକରୁ ଏୟାର ଇଣ୍ଡିଆର ଏଆଇ-୩୩୯ରେ ଭୁବନେଶ୍ୱର ବିମାନ ବନ୍ଦର ଆସିଥିବା ବେଳେ ଜଗତସିଂହପୁର ଅଞ୍ଚଳର ବିମାନ ଯାତ୍ରୀ ଦୁବାଇରୁ ଏୟାର ଇଣ୍ଡିଆର ଏଆଇ-୦୭୭ରେ ଆସିଥିଲେ।
ଉଭୟ ଯାତ୍ରୀଙ୍କୁ ଯାଞ୍ଚ ବେଳେ ସେମାନଙ୍କଠାରୁ ଚେନ ଓ କଡ଼ା ମିଳିଛି ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଜବତ ହୋଇଥିବା ସୁନାର ମୂଲ୍ୟ ୩୧ ଲକ୍ଷ ୫୪ ହଜାର ୬୨୦ ଟଙ୍କା ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କିଛି ମାସ ହେବ ଭୁବନେଶ୍ୱର ବିମାବନ୍ଦର ଦେଇ ସୁନାଚାଲାଣ କରିବା ଏକ ସାଧାରଣ ଘଟଣା ହୋଇଯାଇଛି। କଷ୍ଟମ ବିଭାଗ ପକ୍ଷରୁ କଡା ନଜର ରଖାଯାଇଥିଲେ ମଧ୍ୟ ବିମାନ ଯାତ୍ରୀମାନେ ସୁନା ନେଇ ଆସିବା ଅଭ୍ୟାସ ବଦଳାଇ ପାରୁ ନାହିଁ। ବିଗତ ୧୦ ଦିନ ଭିତରେ ୫ ଥର ପାଇଁ ସୁନା ଜବତ ହୋଇଛି।