କୃଷକଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ଗହମ, ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ିଲା

251

କନକ ବ୍ୟୁରୋ : କୃଷକଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି ।  ଗହମ ଓ ଡାଲି ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି । ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ତରଫରୁ ଏସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ୨୦୨୦-୨୧ ରବି ଋତୁ ଲାଗି ମସୁରର କ୍ବିଣ୍ଟାଲ୍‌ ପିଛା ଏମ୍‌ଏସ୍‌ପିରେ ସର୍ବାଧିକ ୩୨୫ ଟଙ୍କା ବୃଦ୍ଧି କରାଯାଇଛି । କୁସୁମର ଏମ୍‌ଏସ୍‌ପି ୨୭୦ ଟଙ୍କା ଓ ଚଣାର ୨୫୫ ଟଙ୍କା ବୃଦ୍ଧି କରାଯାଇଛି ।

ଧଳା ସୋ‌ରିଷର ଏମ୍ଏସ୍‌ପି କିଣ୍ଟାଲ୍ ପ୍ରତି ୨୫୫ ଟଙ୍କା ବଢ଼ିଥିବା ବେଳେ ଗହମର ଏମ୍‌ଏସ୍‌ପି ୮୫ ଟଙ୍କା ବୃଦ୍ଧି ପାଇଛି । ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏମ୍ଏସ୍‌ପି ବୃଦ୍ଧି କରାଯିବା ପରେ କୁସୁମକୁ ବାଦ ଦେଲେ ଅନ୍ୟ ସବୁ ଫସଲ ଉପରେ ଚାଷୀମାନେ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ତୁଳନାରେ ୫୦% ଅଧିକ ଅର୍ଥ ପାଇପାରିବେ । ଏମ୍‌ଏସ୍‌ପି ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେବା ପରେ ଗହମର କ୍ବିଣ୍ଟାଲ୍ ପିଛା ଏମ୍ଏସ୍‌ପି ୧୯୨୫ ଟଙ୍କା ହୋଇଛି ।

ସେହିପର ଯଅର ୧୫୨୫ ଟଙ୍କା, ଚଣାର ୪୮୭୫ ଟଙ୍କା, ମସୁରର ୪୮୦୦ ଟଙ୍କା, ଧଳା ସୋରିଷର ୪୪୨୫ ଟଙ୍କା ଏବଂ କୁସୁମର କ୍ବିଣ୍ଟାଲ୍ ପିଛା ଏମ୍ଏସ୍‌ପି ୫୨୧୫ ଟଙ୍କା ହୋଇଛି।