ସୁପ୍ରିମକୋର୍ଟରେ ‘ଆଇନଜୀବୀ’ ଶୁଣାଣି: ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆଜି ପୁଣି ଶୁଣାଣି କରିବେ ସୁପ୍ରିମକୋର୍ଟ; ହାଇକୋର୍ଟଙ୍କ ରିପୋର୍ଟ ଉପରେ ହେବ ବିଚାର

ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ

177

କନକ ବ୍ୟୁରୋ: ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆଜି ପୁଣି ଶୁଣାଣି କରିବେ ସୁପ୍ରିମକୋର୍ଟ । ଓଡିଶା ହାଇକୋର୍ଟର ଆଇନଜୀବୀ ମାନେ ଆନ୍ଦୋଳନରେ ଥିବା ବେଳେ ଏହାକୁ ନେଇ ମଙ୍ଗଳବାର ଉଦବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ନ୍ୟାୟର ମନ୍ଦିର ଖୋଲା ରହିବା ଆବଶ୍ୟକ ବୋଲି ସ୍ପଷ୍ଟ କରିଥିଲେ ସୁପ୍ରିମକୋର୍ଟ । ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ପ୍ରଶ୍ନ କରିଥିଲେ ସର୍ବୋଚ ନ୍ୟାୟଳୟ । କୌଣସି ସ୍ଥିତିରେ ଆଇନ ବ୍ୟବସ୍ଥାକୁ ସ୍ଥାଣୁ ହେବାକୁ ଦିଆଯିବ ନାହିଁ ବୋଲି କୋର୍ଟ କହିଥିଲେ । ଏହାସହିତ ଏଦିଗରେ କଣ ପଦକ୍ଷେପ ନିଆଯାଇଛି ବୋଲି ଓଡ଼ିଶା ହାଇକୋର୍ଟଙ୍କ ଠାରୁ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ ।

ଏନେଇ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଏବଂ ଆଜି ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଥିଲେ । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଜରୁରୀକାଳୀନ ବୈଠକ ଡାକି ବିଚାର ବିମର୍ଷ କରିଛି ହାଇକୋର୍ଟ ବାର ଆସୋସିଏସନ । ସଂଘର ଆକ୍ସନ କମିଟି ବୈଠକ ପରେ ସଭାପତି କହିଛନ୍ତି, ସୁପ୍ରିମକୋର୍ଟରେ ଏହି ମାମଲାରେ ପକ୍ଷଭୁକ୍ତ ହେବ ନାହିଁ ବାର ଆସୋସିଏସନ । ଓକିଲଙ୍କ ଆନ୍ଦୋଳନକୁ ସୁପ୍ରିମକୋର୍ଟରେ ଭୂଲ ଭାବରେ ଚିତ୍ରଣ କରାଯାଇଛି ବୋଲି ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି । ତେବେ ଆଜି ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ କଣ ରହୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।