ଉତ୍ତରପ୍ରଦେଶ ରାଜନୀତି ସରଗରମ ! କଂଗ୍ରେସର ହାତ ଛାଡ଼ିପାରନ୍ତି ଏସପି ଓ ବିଏସପି, ସେପଟେ ବିରୋଧୀଙ୍କୁ ବିଜେପିର କଟାକ୍ଷ ।

211

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ରାଜନୀତି ଏବେ ବେଶ୍ ଚଳଚଂଚଳ । ମୋଦି ବିରୋଧୀ ମହାମେଂଟ ଉପରେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନ । ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି କଂଗ୍ରେସ ନେତୃତ୍ୱରେ ଗଢା ହେଉଥିବା ମହାମେଂଟରୁ ଓହରିଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ଜାତୀୟ ରାଜନୀତିର ସୃଷ୍ଟି ହୋଇଚି ହଟଚମଟ । ଏପଟେ ବିରୋଧୀଙ୍କ ମହାମେଂଟକୁ ନେଇ କଟାକ୍ଷ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

ବଦଳିଯିବ କି ୟୁପି ରାଜନୀତି ପାଣିପାଗ ? ଭାଙ୍ଗିଯିବ କି ବିରୋଧୀଙ୍କ ମହାମେଂଟ ? ହାତ ଛାଡ଼ିବେ ଏସପି-ବିଏସପି ! ସଂସଦରେ ଶୀତଅଧିବେଶନ ପୂର୍ବରୁ ମୋଦି ବିରୋଧୀ ମହାମେଂଟ ନେଇ ଏକାଠି ହୋଇଥିବା ବେଳେ ଏବେ ଏଥିରେ ଫାଟ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି  ।  ମାୟାବତୀଙ୍କ ବିଏସପି ଓ ଅଖିଳେଶଙ୍କ ଏସପି କଂଗ୍ରେସର ହାତଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି  । ଏନେଇ ସପା ଓ ବିଏସପି ପକ୍ଷରୁ ଖୁବଶୀଘ୍ର ଘୋଷଣା ମଧ୍ୟ ହୋଇପାରେ  । ମାୟାବତୀଙ୍କ ଜନ୍ମଦିନରେ ଏନେଇ ଘୋଷଣା ହେବାର ଖୁବ ସମ୍ଭାବନା ରହିଛି  ।  ସୂଚନା ମୁତାବକ ସାଧାରଣ ନିର୍ବାଚନରେ ୟୁପିରେ ଲଢ଼ିବା ନେଇ ବିଏସପି ଓ ଏସପି ମଧ୍ୟରେ ସିଟ୍ ବୁଝାମଣା ସରିଛି  । ଏହି ଦୁଇ ଦଳ ସହ ଯୋଡ଼ି ହୋଇଛି ଆରଏଲଡି  । ତେଣୁ କଂଗ୍ରେସର ହାତଛାଡ଼ିବାକୁ ଏସପି ଓ ବିଏସପି ସ୍ଥିର କରିଥିବା ଚର୍ଚ୍ଚା ହେଉଛି  ।

ସେପଟେ ମହାମେଂଟ ପ୍ରସଙ୍ଗରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା  । ମହାମେଂଟ କରି କ୍ଷମତାକୁ ଆସିବାକୁ ବିରୋଧୀ ଦେଖୁଥିବା ସ୍ୱପ୍ନ କେବଳ ଭ୍ରାନ୍ତ ଧାରଣା  । ମହାମେଂଟ କେବଳ ନିଜ ଅଂଚଳରେ ସୀମିତ , ସର୍ବଭାରତୀୟ ସ୍ତରରେ ଏହାର ଅସ୍ତିତ୍ୱ ନାହିଁ ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ । ୟୁପି ଉପନିର୍ବାଚନରେ ମେଂଟ ସମୀକରଣର ନୂଆ ମୋଡ଼ ଦେଇଥିଲେ ଏସପି ଓ ବିଏସପି  । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଏକାଠି ହୋଇ କଂଗ୍ରେସ ସହ ମେଂଟ ବାନ୍ଧିଥିଲେ, ଆଉ ଜିତିନେଇଥିଲେ ଉପନିର୍ବାଚନ  । କିନ୍ତୁ ଏବେ ବଦଳି ଯିବ କି  ସମୀକରଣ? ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟରେ ଏସପି ଓ ବିଏସପି କଂଗ୍ରେସ ସହ ମେଂଟ ନକରି ଅଲଗା ନିର୍ବାଚନ ଲଢ଼ିଥିଲେ  ।  ତେବେ ମଧ୍ୟପ୍ରଦେଶରେ ନିର୍ବାଚନ ଫଳ ପ୍ରକାଶ ପରେ କଂଗ୍ରେସକୁ ସମର୍ଥନ ଯୋଗାଇଦିଆଯିବ ବୋଲି ଘୋଷଣା କରିଥିଲେ ବିଏସପି ସୁପ୍ରିମୋ ମାୟାବତୀ  ।