ଜମ୍ମୁର ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ! ୮ଘଂଟା ଧରି ଚାଲିଥିବା ଅପରେସନରେ ବାୟୁସେନା ଓ ପାରା କମାଣ୍ଡୋ ସାମିଲ, ୨ଜେସିଓ ସହିଦ

37

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ସୁଜୁଆନା ଆର୍ମି କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ଜେସିଓ ସହିଦ ହୋଇଛନ୍ତି । ୮ଘଂଟା ଧରି କ୍ୟାମ୍ପ ପରିସରରେ ଆତଙ୍କବାଦୀ-ସେନା ଏନକାଉଂଟର ଜାରି ରହିଛି । ଏଥିରେ ବାୟୁସେନା ଓ ପାରା କମାଣ୍ଡୋ ସାମିଲ ହୋଇଛନ୍ତି । ସେନାମୁଖ୍ୟ ବିପିନ ରାୱତ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଘଟଣା ବିଷୟରେ ଅବଗତ କରାଇଛନ୍ତି । ଆଜି ଭୋରରୁ ସେନା କ୍ୟାମ୍ପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଦିଲ୍ଲୀ ଓ କାଶ୍ମୀରରେ ଆଲର୍ଟ ଜାରି ହୋଇଛି ।

ଭୋର ପ୍ରାୟ ୫ଟାରେ ଏହି ଆତଙ୍କବାଦୀ ହମଲା ହୋଇଛି । ସେନା କ୍ୟାମ୍ପରେ ଥିବା ଲଗାଯାଇଥିବା ଲୁହା ଜାଲିକୁ କାଟି ପ୍ରାୟ ୪ରୁ ୫ ଜଣ ଆତଙ୍କବାଦୀ ଆର୍ମି କ୍ୟାମ୍ପରେ ପଶିଥିଲେ । ତାପରେ ଆଖିବୁଜା ଗୁଳିଚାଳନା କରିଥିଲେ । ସେନାର କ୍ୱିକ ରିଆକ୍ସନ ଟିମ ଏହାର ଜବାବ ଦେଇଥିଲା । ଆକ୍ରମଣ ପଛରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ହାତ ଥିବା ଜଣାଯାଇଛି । ହେଲିକପ୍ଟରରେ ପରିସ୍ଥିତି ଉପରେ ନଜର ରଖାଯାଇଛି । କ୍ୟାମ୍ପ ନିକଟ ୫ ଶହ ମିଟର ପରିସରରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ଘଟଣା ସମ୍ପର୍କରେ ଜାମ୍ମୁ-କାଶ୍ମୀର ଡିଜିପି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରାଇଛନ୍ତି । ମିଳିଥିବା ଖବର ଅନୁସାରେ, ସମସ୍ତ ଆତଙ୍କବାଦୀ ପାକିସ୍ତାନର । ଆର୍ମି କ୍ୟାମ୍ପରେ ପ୍ରାୟ ୩ ହଜାର ଜବାନ ରହୁଛନ୍ତି । ଜମ୍ମୁ ସହର ଭିତରେ ହିଁ ଏହି ଆର୍ମିୂ କ୍ୟାମ୍ପ ରହିଛି । ଆକ୍ରମଣ ନେଇ ପୂର୍ବରୁ ଆଲର୍ଟ ଜାରି କରାଯାଇଥିଲା ।

ସେପଟେ, ଜମ୍ମୁକଶ୍ମୀର ଆର୍ମୀ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି ଯେ, ଜମ୍ମୁରେ ଏକ ବଡ ଧରଣର ଅପରେସନ ଚାଲିଛି । ଅପରେସନ ନେଇ ଜମ୍ମୁକଶ୍ମୀରର ଡିଜିପିଙ୍କ ସହ ଆଲୋଚନା କରାଯାଇଛି । ଏହି ଘଟଣା ଉପରେ କଡା ନଜର ରଖିାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଅଲ ଇଣ୍ଡିଆ ଫରେନସିକ ସାଇନ୍ସ କନଫରେନ୍ସରେ ଯୋଗ ଦେଇଥିବା ଅବସରରେ ରାଜନାଥ ଏହା କହିଛନ୍ତି ।

ଅନ୍ୟପଟେ, ଆର୍ମୀ କ୍ୟାମ୍ପ ଉପରେ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା । ଏହି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି ବୋଲି ସେ ଖୋଲାଖୋଲି କହିଛନ୍ତି । ପାକିସ୍ତାନ ଏଭଳି କାର୍ଯ୍ୟରୁ ଓହରିବା ଆବଶ୍ୟକ ବୋଲି କହିଛନ୍ତି । ନଚେତ୍ ଯୁଦ୍ଧକୁ ଏଡାଇ ହେବନି ବୋଲି ସେ ମତ ରଖିଛନ୍ତି ।  ସେହିପରି ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ ବଡ ବୟାନ ଦେଇଛନ୍ତି ଜମ୍ମୁକଶ୍ମୀର ବାଚସ୍ପତି କବିନ୍ଦ୍ର ଗୁପ୍ତା । ସେ କହିଛନ୍ତି ଆର୍ମି କ୍ୟାମ୍ପ ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀ ରହୁଛନ୍ତି । ତେଣୁ ଏହି ଆକ୍ରମଣରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ବ୍ୟବହାର କରାଯାଇଥାଇପାରେ ବୋଲି ଆଶଙ୍କା କରିଛନ୍ତି କବିନ୍ଦ୍ର । ସେପଟେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି ଜମୁକଶ୍ମୀର ବିଧାନସଭାରେ ହଙ୍ଗାମା କରିଛନ୍ତି ବିଜେପି ବିଧାୟକ ।