ବିଦ୍ୟୁତ୍ ଚୋରଙ୍କ ଉପରେ ସରକାରୀ ଚାବୁକ : ଅତି ଶୀଘ୍ର ରାଜ୍ୟରେ ଲାଗୁ ହେବ ସ୍ମାର୍ଟମିଟର ବ୍ୟବସ୍ଥା

2,846

କନକ ବ୍ୟୁରୋ : ବିଦ୍ୟୁତ ଚୋରଙ୍କ ଉପରେ ପଡ଼ିବ ସରକାରୀ ଚାବୁକ୍ । ଖୁବ ଶୀଘ୍ର ସାରା ରାଜ୍ୟରେ ସ୍ମାର୍ଟମିଟର ବ୍ୟବସ୍ଥା ଲାଗୁ ହେବାକୁ ଯାଉଅଛି । ପ୍ରତିଟି ଘରେ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ବିଦ୍ୟୁତ୍ ବିଲ ପଇଠ ନକରି କିଛି ଲୋକ ବିଜୁଳି ବ୍ୟବହାର କରୁଛନ୍ତି । ଏପରି ଚୋରଙ୍କୁ ଧରିବା ପାଇଁ ରାଜ୍ୟରେ ଲାଗିବ ସ୍ମାର୍ଟମିଟର ଓ ପ୍ରିପେଡ଼୍ ମିଟର । ଯଦ୍ୱାରା ବିଦ୍ୟୁତ ଚୋରି ତଥା ବିଦ୍ୟୁତ ଅପଚୟ ରୋକାଯାଇପାରିବ । ବିଦ୍ୟୁତ ଚୋରି ରୋକିବା ପାଇଁ ରାଜ୍ୟରେ ସଂସ୍କାର ମୂଳକ ପଦକ୍ଷେନ ନେବାକୁ ଯାଉଛନ୍ତି ନବୀନ ସରକାର ବୋଲି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସମସ୍ତ ବିଭାଗରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଚେଷ୍ଟା କରୁଛନ୍ତି ।

ଚାହିଁଲେବି କୌଣସି ବ୍ୟକ୍ତି ବିଦ୍ୟୁତ ଚୋରି କରିପାରିବ ନାହିଁ । ସ୍ମାର୍ଟମିଟର ବ୍ୟବସ୍ଥା ଯୋଗୁଁ ବିଦ୍ୟୁତ ଚୋରି ତଥା ଟାମ୍ପରିଂ କରିପାରିବେ ନାହିଁ ଉପଭୋକ୍ତା । ଏହାସହ ମାଗ୍ନେଟ୍ ଲଗାଇ ମଧ୍ୟ ମିଟରକୁ ଧୀମା କରିପାରିବେ ନାହିଁ । କେବଳ ଏତିକି ନୁହେଁ ଟାମ୍ପରିଂ କରିବା ପାଇଁ ଚେଷ୍ଟାକଲେ ଜାଣିପାରିବେ ସରକାର । ସ୍ମାର୍ଟମିଟର ବ୍ୟବସ୍ଥା ପ୍ରଥମେ ସମ୍ବଲପୁର ଓ ଇସ୍ପାତ୍ ନଗରୀ ରାଉରକେଲା ସହରରୁ ଆରମ୍ଭ କରିବାକୁ ପ୍ରୟାସ ଚଳାଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ରାଜ୍ୟରେ ପ୍ରିପେଡ଼୍ ମିଟର ବ୍ୟବସ୍ଥା ମଧ୍ୟ କରାଯିବ । ମାସ ସାରା ବିଜୁଳି ବ୍ୟବହାର କରି ମାସ ଶେଷର ବିଲ୍ ପଇଠ କରୁଥିଲେ ଉପଭୋକ୍ତା । କିନ୍ତୁ ପ୍ରିପେଡ଼୍ ମିଟର ଲାଗିବା ପରେ ଆଗୁଆ ବିଲ ପଇଠ କରିବା ପାଇଁ ପଡ଼ିବ ।  ତା’ପରେ ଯାଇ ବିଜୁଳି ବ୍ୟବହାର କରିପାରିବେ ଗ୍ରାହକ । ତେବେ ଏଥିରେ ପ୍ରିପେଡ଼୍ ଭାଉଚର୍ ବ୍ୟବସ୍ଥା ମଧ୍ୟ ରହିଛି । ଭାଉଚର ସରିଗଲେ ପୁଣ ଥରେ ରିଚାର୍ଜ କରି ବିଜୁଳି ବ୍ୟବହାର କରିପାରିବେ ଉପଭୋକ୍ତା ।

ଏହାସହ ବିଦ୍ୟୁତ ବିଲ ପଇଠ ନକରୁଥିବା ବ୍ୟକ୍ତଶଙ୍କ ଉପରେ କଡ଼ା ନଜର ରଖିବେ ରାଜ୍ୟ ସରକାର । ବିଦ୍ୟୁତ ଚୋରି କରୁଥିବା ବ୍ୟକ୍ତିଙ୍କ ଘରୁ ରିମୋର୍ଟ ମାଧ୍ୟମରେ ବିଜୁଳି କାଟି ଦିଆଯାଇପାରିବ । ତେବେ ଏହି ମିଟର ପାଇଁ ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ।