ଶିରିଡ଼ିରୁ ମୁମ୍ବାଇ, ହାଇଦ୍ରାବାଦକୁ ବିମାନ ଉଡ଼ାଣ ଆରମ୍ଭ

43

କନକ ବ୍ୟୁରୋ: ନବନିର୍ମିତ ଶିରିଡ଼ି ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଚଳିତ ମାସ ପହିଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି । ଏଥିସହିତ ଏଠାରୁ ମୁମ୍ବାଇକୁ ପ୍ରଥମ ବାଣିଜ୍ୟିକ ବିମାନର ଉଡ଼ାଣକୁ ମଧ୍ୟ ରାଷ୍ଟ୍ରପତି ଉଦଘାଟନ କରିଛନ୍ତି । ଏହି ଅବସରରେ ଏୟାର ଇଣ୍ଡିଆର ସହାୟକ ସଂସ୍ଥା ଆଲାଏନ୍ସ ଏୟାରର ବିମାନଟି ମୁମ୍ବାଇକୁ ଯାତ୍ରା କରିଥିଲା । ଶିରିଡ଼ି ବିମାନ ବନ୍ଦରରୁ ୭୨ ଆସନ ବିଶିଷ୍ଟ ବିମାନଟିକୁ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ଲାଗି ୪୫ ମିନିଟ ସମୟ ନେଇଥିଲା । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଶିରିଡ଼ିଙ୍କ ପୀଠକୁ ଦେଶର ବିଭିନ୍ନ ସ୍ଥାନରୁ ବିମାନ ସେବା ଆରମ୍ଭ ହେବା ସୁଯୋଗ ସୃଷ୍ଟି ହୋଇଛି ।

ମୁମ୍ବାଇଠାରୁ ୨୩୮ କିମି ଦୂରରେ ଅବସ୍ଥିତ ଶିରିଡ଼ିକୁ ସଡ଼କ ଯୋଗେ ଯାତ୍ରା କରିବା ଲାଗି ପ୍ରାୟ ୫ ଘଣ୍ଟା ସମୟ ଲାଗିଥାଏ । ଏବେ ବିମାନ ଯୋଗାଯୋଗ ସ୍ଥାପନ ଫଳରେ ମୁମ୍ବାଇରୁ ଶିରିଡ଼ିକୁ ୪୦ରୁ ୪୫ ମିନିଟ ମଧ୍ୟରେ ଯାତ୍ରା ସମ୍ଭବ ହୋଇପାରିବ । ଏୟାର ଇଣ୍ଡିଆର ସୂଚନା ମୁତାବକ ଶିରିଡ଼ିରୁ ମୁମ୍ବାଇ ମଧ୍ୟରେ ବୁଧବାର, ଶୁକ୍ରବାର ଏବଂ ରବିବାର ଯେଉଁ ବିମାନ ଚଳାଚଳ କରିବ ତାହା ମୁମ୍ବାଇରୁ ସକାଳ ୮ଟା ୩୦ରେ ଛାଡ଼ି ଶିରିଡ଼ିରେ ୯ଟା ୧୫ରେ ପହଞ୍ଚିବ। ସେହିଭଳି ସେହି ବିମାନଟି ଶିରିଡ଼ିରୁ ସକାଳ ୯ଟା ୪୫ରେ ଛାଡ଼ି ମୁମ୍ବାଇରେ ସକାଳ ୧୧ଟା ୦୫ ମିନିଟରେ ପହଞ୍ଚିବ ।

ଏତଦବ୍ୟତୀତ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ମୁମ୍ବାଇରୁ ବିମାନଟି ଅପରାହ୍ଣ ୩ଟା ୨୯ରେ ଶିରିଡ଼ିକୁ ଯାତ୍ରା କରିବ। ସେହି ବିମାନଟି ଶିରିଡ଼ିରୁ ଅପରାହ୍ଣ ୪ଟା ୩୦ରେ ବାହାରି ମୁମ୍ବାଇରେ ୫ଟା ୧୫ରେ ପହଞ୍ଚିବ । ଏତଦବ୍ୟତୀତ ଶିରିଡ଼ିରୁ ହାଇଦ୍ରାବାଦ ମଧ୍ୟରେ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ୭୨ ଆସନ ବିଶିଷ୍ଟ ଏକ ବିମାନ ଚଳାଚଳ କରିବ ବୋଲି ଜଣାଯାଇଛି । ଦେଶର ଏହି ପ୍ରମୁଖ ତୀର୍ଥକ୍ଷେତ୍ରକୁ ଦିନକୁ ପ୍ରାୟ ୬୦ ହଜାର ଯାତ୍ରୀ ଆସିଥାନ୍ତି । ବିମାନ ଯୋଗାଯୋଗ ସ୍ଥାପନ ଫଳରେ ଶିରିଡ଼ି ସାଇଙ୍କ ନିକଟକୁ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି ।