ଥାନା ଭିତରେ ପୁଲିସ୍-ଓକିଲ ହାତାହାତି । ଠେଲାପେଲା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ । କ୍ୟାମେରାରେ କଏଦ ହେଲା ପୁରା ଚିତ୍ର

ଗଂଜାମ ବୁଗୁଡ଼ା ଥାନା ଭିତରେ ଥାନାବାବୁଙ୍କ ସହ ଓକିଲଙ୍କ ଗଣ୍ଡଗୋଳ

142

କନକ ବ୍ୟୁରୋ: କ୍ୟାମେରାରେ କଏଦ ହେଲା ମୁହାଁମୁହିଁର ଚିତ୍ର । ଥାନା ଭିତରେ ଥାନାବାବୁଙ୍କ ସହ ଓକିଲଙ୍କ ଯୁକ୍ତିତର୍କ ଏବଂ ଧସ୍ତାଧସ୍ତି । ଏହି ଯୁକ୍ତିତର୍କ କେବଳ କଥାକଟାକଟିରେ ସୀମିତ ନଥିଲା ବରଂ ଅସଭ୍ୟ ଭାଷାରେ ଗାଳି ଦେବା ଯାଏଁ କଥା ଯାଇଥିଲା ।

ଜମିଜମା ମାମଲାକୁ କେନ୍ଦ୍ର କରି ଓକିଲ ଜଣକ ଥାନାକୁ ଯାଇଥିଲେ । ଆଉ ଏହି ପ୍ରସଙ୍ଗରେ ଯୁକ୍ତିତର୍କ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଓକିଲ ଜଣକ ସ୍ଥାନୀୟ ନଗର ବିଜେପି ସଭାପତି ଥିବା ଜଣାପଡ଼ିଛି । ଆଉ ପୁରା ଘଟଣାର ଚିତ୍ର କ୍ୟାମେରାରେ କଏଦ ହୋଇଛି ।

ସୂଚନାଯୋଗ୍ୟ, କଟକରେ ଆଇନଜୀବୀଙ୍କୁ ପୁଲିସର ମାଡମରା ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇ ନ ଥିବା ବେଳେ  ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବୁଗୁଡା ଥାନାରେ ଭିତରେ ଜଣେ ଓକିଲକୁ ମାଡ ମାରିଥିବା ମଙ୍ଗଳବାର ଅଭିଯୋଗ ହୋଇଥିଲା।

ଥାନା ଭିତରେ ଓକିଲଙ୍କୁ ଗାଳିଗୁଲଜ କରାଯିବା ସହ ମାଡ ମରାଯିବା ଅଭିଯୋଗ ହୋଇଥିଲା। ଆହତ ଅବସ୍ଥାରେ ସଂପୃକ୍ତ ଓକିଲଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏହି ଖବର ଲେଖାଯିବା ବେଳକୁ ସେ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।