ଶେଷ କଲରେ କଣ କହିଥିଲେ ସହିଦ ଯବାନ ପ୍ରସନ୍ନ କୁମାର…ଯାହାକୁ ମନେ ପକାଇ ଶୁଖୁନି ପରିବାର ଲୋକଙ୍କ ଆଖିରୁ ଲୁହ 

1,764

କନକ ବ୍ୟୁରୋ: ଆଜି ଜନ୍ମମାଟିକୁ ଆସୁଛି ସହିଦ ଯବାନଙ୍କ ପାର୍ଥିବ ଶରୀର । ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ୨ ଓଡିଆ ବୀର ଯବାନଙ୍କ ପାର୍ଥିବ ଶରରୀ । ଦେଶ ପାଇଁ ଜୀବନ ଦେଇଥିବା ଦୁଇ ଓଡିଆ ବୀର ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ଥାନା ଅଂଚଳ ରତନପୁର ଗାଁର ମନୋଜ ବେହେରା । ଆତଙ୍କବାଦୀ ହମଲାରେ ପ୍ରସନ୍ନ ଓ ମନୋଜ ସହିଦ ହେବା ଖବର ଗାଁରେ ପହଂଚିବା ପରେ ଅଂଚଳରେ ସ୍ତବ୍ଧ ହୋଇଯାଇଛି ଜନ୍ମମାଟି ।

ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଅଂଚଳବାସୀ ସହିଦଙ୍କୁ ଝୁରି ହେଉଛନ୍ତି । ଆଜି ସହିଦଙ୍କ ପାଇଁ ଗୁମୁରୁ ଗୁମୁରି କାନ୍ଦୁଛି ଜନ୍ମମାଟି । ସହିଦ ପ୍ରସନ୍ନ କୁମାର ସାହୁ ୧୯୯୫ ମସିହାରେ ସିଆରପିଏଫର ଯୋଗ ଦେଇଥିଲେ । ଏହାପରେ ସେ ଜମ୍ମୁକଶ୍ମୀରରେ ସିଆରପିଏଫର ୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ । ତେବେ ପ୍ରସନ୍ନଙ୍କୁ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହଁନ୍ତି ପରିବାର ଲୋକେ । ପ୍ରସନ୍ନଙ୍କୁ ହରାଇ ଯେପରି ସବୁକିଛି ହରାଇଦେଇଛନ୍ତି ପରିବାର । ସତେ ଯେପରି ଘରର ମେରୁଦଣ୍ଡ ଦୋହଲି ଯାଇଛି । ପ୍ରସନ୍ନଙ୍କର ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଅଛନ୍ତି । ବାପାଙ୍କର ମୃତ୍ୟୁ ଖବରକୁ ତାଙ୍କର ପିଲାମାନେ କେହି ବିଶ୍ୱାସ ବି କରିପାରୁନାହାଁନ୍ତି । କାରଣ ଗତ ସୋମବାର ଦିନ ସେ ତାଙ୍କ ବାପାଙ୍କ ସହ ଶେଷ ଥର ପାଇଁ ଫୋନରେ କଥା ହୋଇଥିଲେ । ପ୍ରସନ୍ନ ଡ୍ୟୁଟିକୁ ଯିବା ପୂର୍ବରୁ ଫୋନ କରି ପରିବାର ଲୋକଙ୍କ ସହ କଥା ହୋଇଥିଲେ । ପିଲାଙ୍କୁ ସେମାନଙ୍କର ପାଠପଢା ବିଷୟରେ ପଚାରି ବୁଝିଥିଲେ । ବୁଢା ବାପାମାଆଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ମଧ୍ୟ ପତ୍ନୀଙ୍କଠାରୁ ପଚାରି ବୁଝିଥିଲେ ।

କଥା କହୁ କହୁ ପାଟି ଖନି ମାରିଯାଉଥାଏ । ଆଖିରେ ଆଖିଏ ଲୁହ ଆଉ କୋହଭରା କଣ୍ଠରେ ପ୍ରସନ୍ନଙ୍କ ପତ୍ନୀ କୁହନ୍ତି କି, ଦିଲ୍ଲୀରେ ଥିବା ବେଳେ  ମୋର ତାଙ୍କ ସହ ଶେଷ ଥର ପାଇଁ କଥାବାର୍ତ୍ତା ହୋଇଥିଲା । ଟ୍ରେନରେ ବସିବା ସମୟରେ ସେ ସ୍ୱାମୀଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ ପିଲାଙ୍କର ପାଠପଢା ବିଷୟରେ ପଚାରି ବୁଝିଥିଲେ ଏବଂ ମାସେ ଦୁଇ ମାସେ ପରେ ସେ ଛୁଟିରେ ଆସିବେ ବୋଲି କହିଥିଲେ ।  ପ୍ରସନ୍ନଙ୍କ ଏକମାତ୍ର ଲକ୍ଷ୍ୟ ଥିଲା ତାଙ୍କୁ ଦୁଇ ପିଲାଙ୍କୁ ପାଠପଢାଇବେ ବୋଲି ତେଣୁ ସ୍ୱାମୀଙ୍କ ଏହି ଆଶାକୁ ପୁରଣ କରିବେ ବୋଲି ପତ୍ନୀ କହିଛନ୍ତି । କଥା କହୁ କହୁ ପାଟି ଖନି ମାରିଯାଉଛି । କାରଣ ସ୍ୱାମୀ ପ୍ରସନ୍ନଙ୍କର ଏହା ଥିଲା ଶେଷ କଲ । ପ୍ରସନ୍ନଙ୍କର ଫୋନକୁ ଅପେକ୍ଷା କରିଥିବା ପତ୍ନୀ ଭାବି ନ ଥିଲେ କି ତାଙ୍କର ଏହି ଅପେକ୍ଷାର ଅନ୍ତ କେବେ ବି ଘଟିବ ନାହିଁ। କଥା ହେବାର  କିଛି ଦିନ ପରେ ହିଁ ଜମ୍ମୁ-କାଶ୍ମୀରରୁ ଆସିଥିଲା ଆତଙ୍କବାଦୀ ଆକ୍ରମଣର କଥା । ଯାହା ପୂରା ପରିବାରକୁ ସ୍ତବ୍ଧ କରି ଦେଇଥିଲା ।

ପ୍ରସନ୍ନଙ୍କର ଭାଇ କହୁନ୍ତି କି, ମୋର ଭାଇ ଜୀବନରେ ଯାହା ବି ରୋଜଗାର କରିଥିଲା ସବୁ ଗାଁ ଲୋକ ଏବଂ ଠାକୁରାଣୀଙ୍କ ପାଇଁ ଦାନ କରିଦେଲା । ସେ ବହୁତ ଭଲ । ସେ ମୋର ଭାଇ ନଥିଲା ମୋର ଛାଇ ଥିଲା । ମୋର ଖାଲି ଏତିକି ଅନୁରୋଧ ମୋର ଭାଇର ହସ ଖୁସିର ସଂସାରକୁ ଯିଏ ଉଜାଡି ଦେଲା ତାକୁ ନିଶ୍ଚୟ ଦଣ୍ଡ ମିଳୁବୋଲି ପ୍ରସନ୍ନଙ୍କ ଭାଇ କହିଛନ୍ତି ।

ପ୍ରସନ୍ନଙ୍କର ଝିଅ କହିଛନ୍ତି କି, ମୁଁ ଏଭଳି ଜଣେ ବାପାଙ୍କର ଝିଅ ହୋଇଥିବାରୁ ନିଜକୁ ବହୁତ ଗର୍ବିତ ଅନୁଭବ କରୁଛି । ସେ ଭାରତ ପାଇଁ ନିଜ ପ୍ରାଣ ବଳି ଦେଇ ସହିଦ ହୋଇଛନ୍ତି । ହେଲେ ତାଙ୍କର ଏହି ବଳିଦାନ ଯେଭଳି ବ୍ୟର୍ଥ ନଯାଉ ଆଉ ଇଟାର ଜବାବ ପଥରରେ ମିଳୁବୋଲି ପ୍ରସନ୍ନଙ୍କ ଝିଅ କହିଛନ୍ତି । ସେ ତାଙ୍କ ବାପାଙ୍କ ସହ ଶେଷ ଥର ପାଇଁ ସୋମବାର ଦିନ କଥା ହୋଇଥିଲେ ଆଉ ଏହି ସମୟରେ ସେ ଡ୍ୟୁଟିକୁ ବାହାରୁଥିଲେ । କାମରୁ ଫେରିଲେ ବାପା ତାଙ୍କୁ କହିଥିଲେ ବୋଲି ପ୍ରସନ୍ନଙ୍କ ଝିଅ କହିଛନ୍ତି ।