ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି କଳାହାଣ୍ଡି ! ପ୍ରଶାସନର ଉଦାସୀନତା ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ଅଭିଯୋଗ

48

କନକ ବ୍ୟୁରୋ : ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି କଳାହାଣ୍ଡି । ଜିଲ୍ଲାରେ ପ୍ରଶାସନର ଉଦାସୀନତା ଯୋଗୁଁ ସରକାର ଖଣି ଭଳି ବାଲିରେ ବି କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଜିଲ୍ଲାର ବିଭିନ୍ନ ନଦୀପଠାରୁ ଚାଲିଛି ବେଆଇନ୍ ବାଲି ଚୋରା ଚାଲାଣ । ବାଲି ବିକି ମାଫିଆ ମାଲାମାଲ ହେଉଥିବା ବେଳେ ହାଜସ୍ୱ ହରାଉଛନ୍ତି ସରକାର ।

ତହସିଲରେ ଅଳ୍ପ କିଛି ରାଜସ୍ୱ ବାନ୍ଧି ଟେଣ୍ଡର ହାତେଇ ବାଲି ମାଫିଆମାନେ ବେଆଇନ୍ ଚୋରା ଚାଲାଣ କରୁଥିବା ଅଭିଯୋଗ ଆସିଛି ।  ବିଭନ୍ନ ନଦୀ ପଠାରୁ କୋଟି କୋଟି ଟଙ୍କାର ରାଜସ୍ୱ ଠକି ଟ୍ରକ୍ ଟ୍ରକ୍ ବାଲି ବାହାରକୁ ଚାଲାଣ କରୁଛନ୍ତି । ତୁର୍କେଲ ନଦୀରେ ବାଲି ଚୋରି ଘଟଣାରେ ଭବାନୀପାଟଣା ତହସିଲଦାରଙ୍କ ପକ୍ଷରୁ କରାଯାଇଥିବା ସାଢେ ଚାରି ଲକ୍ଷ ଟଙ୍କା ଜରିମାନାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।

ବାଲି ମାଫିଆ ଓ ପ୍ରଶାସନିକ ବାବୁଙ୍କ ଅସାଧୁ ମେଂଟ ଯୋଗୁଁ ଜିଲ୍ଲାର ତେଲନଦୀ, ରେତ୍ ନଦୀ, ଉତେଇ ଓ ହାତିନଦୀ ଭଳି ନଦୀ ପଠାକୁ ଖୋଳି ପକେଇଲେଣି । ମେସିନରେ ବାଲି ଉଠାଣର ନିୟମ ନଥିବା ବେଳେ ଏମାନେ ଖୋଲାଖୋଲି ମେସନରେ ବାଲି ଉଠାଇ ଚୋରା ଚାଲାଣ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ଦୁର୍ନିତୀଖୋର ମନୋବୃତ୍ତି ଯୋଗୁଁ ବାଲି ଚୋରି ହେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । କଳାହାଣ୍ଡିରେ ଆଉ କେତେ ବାଲି ଚୋରୀ ହେଲେ ସରକାରଙ୍କ ନିଦ ଭାଙ୍ଗିବ ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।