ପାଠ ପଢାଇଲେ କଲେକ୍ଟର ! ମାନଚିତ୍ର ଧରି ପିଲାଙ୍କୁ ଦେଲେ ଭୂଗୋଳ ଜ୍ଞାନ, ଚର୍ଚ୍ଚାରେ ଜିଲ୍ଲାପାଳ

37

କନକ ବ୍ୟୁରୋ: ସମୟ ଦିନ ୧୦.୩୦ । ପ୍ରାର୍ଥନା ସାରି ପିଲାମାନେ କ୍ଲାସରେ ବସି ପାଠପଢା ଆରମ୍ଭ କରୁଥାଆନ୍ତି । ସେତିକି ବେଳେ ଜିଲ୍ଲାପାଳ ଗୋପବନ୍ଧୁ କକ୍ଷକୁ ପସିଥିଲେ । ପରେ ଏକ ମ୍ୟାପ ମଝିରେ ବଡବଡ ଅକ୍ଷରରେ ଲେଖିଥିଲେ ଭାରତ । ସେହି ମ୍ୟାପରେ ପଡୋଶୀ ଦେଶ ଓ ରାଜ୍ୟ ଗୁଡିକର ନାମ ଲେଖାଥିଲା । ପରେ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ନିଜେ ଜିଲ୍ଲାପାଳ ପିଲାମାନଙ୍କୁ ପାଠ ପଢାଇଥିଲେ ।

ଶ୍ରେଣୀରେ ୬୦ ଜଣ ପିଲା ଥିବା ବେଳେ ଉପସ୍ଥିତ ଥିଲେ ମାତ୍ର ୨୭ । ଯାହାକୁ ନେଇ ଜିଲ୍ଲାପାଳ ପ୍ରଧାନ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ଦାଶଙ୍କୁ ପିଲାଙ୍କ ଉପସ୍ଥାନ କାହିଁକି କମ ରହିଛି ପଚାରିବା ସହ ପିଲାମାନେ ଆସୁନଥିବାରୁ ବିରକ୍ତି ପ୍ରକାଶ କରିଥିଲେ ।ହଠାତ ଜିଲ୍ଲାପାଳଙ୍କ ଗସ୍ତ ଉପରେ କେହି ବି ଟେର ପାଇପାରି ନଥିଲେ । କେବଳ ଜିଲ୍ଲାପାଳ ନୁହେଁ ତାଙ୍କ ସାଙ୍ଗରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ ଓ ପାରଳା ଖେମୁଣ୍ଡି ସିଆରସିସି ଟି. କ୍ରିଷ୍ଣା ରାଓ ମଧ୍ୟ ଉପସ୍ଥିତ ଥିଲେ ।

ବିଦ୍ୟାଳୟରୁ ଫେରିବା ବାଟରେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, “ମୋ ସ୍କୁଲ କାର୍ଯ୍ୟକ୍ରମ ଟି ଟିଚ୍ ଗଜପତି କାର୍ଯ୍ୟକ୍ରମର ମଧ୍ୟ ଅଂଶ ବିଶେଷ । ତେଣୁ ପ୍ରତ୍ୟେକ ପିଲା ପାଠ ପଢିବାର ଆବଶ୍ୟକତା ରହିଛି । ସରକାରଙ୍କ ଠାରୁ ମିଳୁଥିବା ଏହି ଯୋଜନାର ଫାଇଦା ପିଲାମାନେ ଉଠାଇବାର ଆବଶ୍ୟକତା ରହିଛି । ତେଣୁ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ଗଜପତି ଜିଲ୍ଲା ଉନ୍ନତି ପଥରେ ଆଗେଇ ଚାଲିପାରିବ ବୋଲି ମୋର ବିଶ୍ୱାସ ରହିଛି” ବୋଲି ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ।