ବ୍ୟାଙ୍କ ଉପରେ ସନ୍ଦେହ ! ନୋଟ୍ ଦଲାଲିର ମାଷ୍ଟରମାଇଣ୍ଡକୁ ଖୋଜୁଛି ସମ୍ବଲପୁୁର ପୁଲିସ୍

30

ସମ୍ବଲପୁର : କେମିତି ହେଉଥିଲା ନୋଟ୍ ଦଲାଲି । ପୁରୁଣା ନୋଟକୁ ବଦଳ କରି କେମିତି ପାଉଥିଲେ ନୂଆ ନୋଟ୍ । ଗତକାଲି ବ୍ୟାଙ୍କ୍ କର୍ମଚାରୀଙ୍କ ସହ ୮ ଜଣଙ୍କୁ ଗିରଫ କରିବା ପରେ ଷଡଯନ୍ତ୍ରର ମୂଳ ପାଖରେ ପହଂଚିବାକୁ ତନାଘନା ଆରମ୍ଭ କରିଛି ସମ୍ବଲପୁର ପୁଲିସ୍ ।

ସେପଟେ ବ୍ୟାଙ୍କର ଜନ ସମ୍ପର୍କ ଅଧିକାରୀ ଗିରଫ ହେବା ପରେ ବ୍ୟାଙ୍କର ଅନ୍ୟ ଅଧିକାରୀଙ୍କ ସଂପୃକ୍ତି ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ବ୍ୟାଙ୍କ କର୍ତୃପକ୍ଷ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ତଦନ୍ତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଜବତ ଟଙ୍କା ଭିତରେ ୮୫ ଲକ୍ଷ ଟଂକାର ୨ ହଜାର ଟଙ୍କିଆ ନୋଟ୍ ଅଛି ।

ନୋଟ୍ ଦଲାଲିର ମାଷ୍ଟର ମାଇଣ୍ଡ କିଏ । ମଦ ବେପାରୀଙ୍କ ଅଚଳ ଟଙ୍କାକୁ କିଏ କରୁଥିଲା ସଚଳ । ସବୁଠି ନୂଆ ସଙ୍କଟ ଚାଲିଥିବା ବେଳେ ୮୫ଲକ୍ଷର ନୂଆ ନୋଟ୍ ଏମାନଙ୍କ ହାତକୁ ଆସିଲା କେମିତି । ଏ ପ୍ରଶ୍ନର ଉତ୍ତର ଖୋଜୁଛି ସମ୍ବଲପୁର ପୁଲିସ୍ । କାରଣ ଜବତ ୨ହଜାର ଟଙ୍କିଆ ନୋଟ୍ ଗୋଟିଏ କ୍ରମିକ ନମ୍ବରରେ ରହିଛି । ତେଣୁ ପୁଲିସର ଯାଇଛି ଷ୍ଟେଟ୍ ବ୍ୟାଙ୍କର କର୍ମଚାରୀଙ୍କ ଆଡକୁ ।

ଆୟକର ବିଭାଗ ଗିରଫ ହୋଇଥିବା ଲାଇସେନ୍ସ ପ୍ରାପ୍ତ ମଦ ବେପାରୀ ଜିୟାରତ୍ ଅଲ୍ଲୀଙ୍କ ଆକାଉଂଟକୁ ଯାଂଚ୍ କରୁଥିବା ବେଳେ ପୁଲିସର ସନ୍ଦେହି ଆଖି ପଡିଛି ବ୍ୟାଙ୍କ୍ ଉପରେ । କାରଣ ନୋଟ୍ ଦଲାଲି ମାମଲାରେ ଗିରଫ ହୋଇଛନ୍ତି ବ୍ୟାଙ୍କର ଜନସଂପର୍କ ଅଧିକାରୀ । ତେବେ ନୂଆ ନୋଟର ରହସ୍ୟ ପାଖରେ ପହଂଚିବାକୁ ପୁଲିସ୍ ଆବିଆଇର ସାହାଯ୍ୟ ମଧ୍ୟ ନେଇପାରେ ।

ସେପଟେ ଷ୍ଟେଟ୍ ବ୍ୟାଙ୍କ୍ କର୍ତ୍ତୃପକ୍ଷ ବ୍ରାଂଚ୍ ଆରମ୍ଭ କରିଛନ୍ତି ତନାଘନା । ଗିରଫ ଜନସଂପର୍କ ଅଧିକାରୀ ରଶ୍ମୀରଂଜନ ରାଉତଙ୍କ ଚାମ୍ବରକୁ ସିଲ୍ ସହ ଯାଂଚ୍ ଆରମ୍ଭ କରିଛନ୍ତି । କାରଣ ରଶ୍ମୀ ଓ ତାଙ୍କ ଭାଇ ମାଫିଆଙ୍କ ସହ ହାତ ମିଳାଇଥିଲେ । ଆଉ ପୁରୁଣା ନୋଟକୁ ନୂଆ କରିବାକୁ କରିଥିଲେ ଷଡଯନ୍ତ୍ର ।
ଗତକାଲି ସମ୍ବଲପୁରରୁ ଏହି ନୋଟ୍ ଦଲାଲି ଗ୍ୟାଙ୍ଗ୍ ଗିରଫ ହୋଇଥିଲେ । ଆଉ ସେମାନଙ୍କ ପାଖରୁ ଜବତ ହୋଇଥିଲା କୋଟିଏରୁ ଅଧିକ ଟଙ୍କା ।