#ଡାହାମିଛ । ବିଜେଡିର ‘ବି’ ଟିମ୍ କଂଗ୍ରେସ, ଶଙ୍ଖ ଧରିବ ହାତ ?

133

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

ଓହୋ, ଏତେଦିନ ପରେ ନିରଞ୍ଜନ ଆଜ୍ଞା ସବୁକିଛି ଲଗାଇ ସଭାପତି ପଦଟିଏ ପାଇଲେ, ତା ପରଠାରୁ ଥକା ମାରିବା ବଦଳରେ ମାଡି ଚାଲିଛନ୍ତି । ଲକ୍ଷ୍ୟ ଭାଙ୍ଗି ଯାଉଥିବା ହାତକୁ ପ୍ଲାଷ୍ଟର ମାରି ସଳଖି ଦେବେ । ହେଲେ ଏତିକି ବେଳକୁ ହିଁ ସମସ୍ତେ ବେଙ୍ଗା କରିବାକୁ ପ୍ରସ୍ତୁତ । ଶ୍ରୀକାନ୍ତ-ଜୟଦେବ ମାନେ ଜେନା ଯୋଡି କୋଉ କମ୍ ଥିଲେ ଯେ ଏବେ ଭକ୍ତଙ୍କ ଭାବନା ବଡ ଅଡୁଆ କଲାଣି । ଚାରିଆଡେ ଟାହିଟାପୁରା ଚାଲିଛି କଂଗ୍ରେସ ହେଉଛି ବିଜେଡିର ବି-ଟିମ୍ । ମାନେ ବିଜେଡି ଯାହା ଚାହିଁବ କଂଗ୍ରେସରେ ଠିକ ସେୟା ହେବ । ଭକ୍ତ ବାବୁ ଆମର କହିଦେଲେ, ୨୦୧୯ରେ ଆବଶ୍ୟକ ପଡିଲେ ବିଜେପିକୁ ରୋକିବାକୁ କଂଗ୍ରେସ-ବିଜେଡି ଏକ ହୋଇଯିବେ । ଏତିକି ବୟାନ ଶୁଣିଦେଇ ରାମମନ୍ଦିର ପାଖ ଅଫିସରେ ଗେରୁଆ ବାନା ଖାଲି ଫୁରୁଫୁରୁ ହୋଇ ଉଡିଲା । କୁଆଡୁ ପବନ ବୋହୁନଥିଲା ବେଳେ ପତାକା ଉଡିବା ଆମକୁ ଆଶ୍ଚର୍ଯ୍ୟ କଲା । ବୁଝିଲା ବେଳକୁ କଣ ନା, ନେତା ଭିତରେ ଫୁଲ୍ ଦମରେ କଥାକୁ ନେଇ ଚର୍ଚ୍ଚା କରୁଥିଲେ ।

ଯାହା କୁହ ବିଜେପି ଅଫିସରେ ସବୁ କିଛି ବ୍ୟବସ୍ଥିତ । ସଫାସୁତୁରା, ବସିବାକୁ ଖାଲି ମାଳ ମାଳ ଜାଗା । ଚେୟାର ଅଧିକ, ନେତା କମ୍ । ଛାଡନ୍ତୁ ଏତେ କଥା ଲେଖିଲେ ଏବେ ସାଇବର୍ ଆର୍ମି ଆଉ ରାତି ସାରା ଶୁଆଇ ଦେବେନି । କଥା ବୁଝୁବୁଝୁ ଜଣାପଡିଲା ଜଣେ ନେତା ଛାତି ପିଟି କହୁଥାନ୍ତି, ଆମେ ଆଗରୁ କହୁଥିଲୁ ବିଜେଡି-କଂଗ୍ରେସ ଭିତରେ ଭିତିରି ବୁଝାମଣା ଅଛି । କେହି ଆମ କଥା ଶୁଣୁନଥିଲେ । ଆମେ କଂଗ୍ରେସକୁ ବିଜେଡିର ‘ବି’ ଟିମ୍ କହିଲା ବେଳେ ମିଡିଆ ତ ଦେଖଉନଥିଲା ଛାଡ, ଲୋକମାନେ ବି ହସୁଥିଲେ । ଆମ କଥା କେହି ବିଶ୍ୱାସ କରୁନଥିଲେ । ଏବେ ଆମ କଥା ସତ ପ୍ରମାଣିତ ହେଲା । ଏତିକି ଶୁଣି ଦେଇ ମୋର ଆଉ ବୁଝିବାର ଅବକାଶ ନଥିଲା, କାହିଁକି ବିନା ପବନରେ ଫରଫର ଉଡୁଥିଲା ଗେରୁଆ ବାନା ।


ବିଜେପି ନେତାଙ୍କ କଥା ଶୁଣି ମୁଣ୍ଡ ଖେଳାଇବାକୁ ଲାଗିଲି, କେମିତି କଂଗ୍ରେସ ବିଜେଡିର ‘ବି’ ଟିମ୍ ହେଲା । ତୁରନ୍ତ ମନେ ପଡିଗଲା ଦୁଇ ଭାଇଙ୍କ କଥା । ନଗଦରେ ବିଜେଡିରେ ମିଶିଛନ୍ତି ସୈାମ୍ୟରଂଜନ ପଟ୍ଟନାୟକ । ସକାଳେ ମିଶିଲେ ସନ୍ଧ୍ୟାରେ ରାଜ୍ୟସଭା । ଆଉ ନଗଦରେ ମଧ୍ୟ ପିସିସି ସଭାପତି ହୋଇଛନ୍ତି ନିରଂଜନ ପଟ୍ଟନାୟକ । ଦୁଇ ଭାଇଙ୍କ ମଧ୍ୟରେ ମଧୁର ସଂପର୍କ । ସାନ ଭାଇ ପୁଣି ସବୁ ନିଷ୍ପତ୍ତି ବଡ ଭାଇଙ୍କୁ ପଚାରି ନିଅନ୍ତି ବୋଲି ଚା’ ଖଟିରେ କୁହାଯାଏ । ତେଣୁ ଏହାକୁ ଅସ୍ତ୍ର କରିନାହାନ୍ତି ତ ନବୀନ ବାବୁ? ସେତ ଥଣ୍ଡା କଫିକୁ ମଧ୍ୟ ଫୁଙ୍କି କରି ପିଇବାରେ ଓସ୍ତାଦ । ତେଣୁ ଏମିତି ଭାବିନଥିବେ ବୋଲି କିଏ କହିବ । ତେବେ ନବୀନ ନିବାସରେ ବଡ ପାଚେରୀ ଡେଇଁ କଥା ବାହାରକୁ ନଆସିଲା ଭଳି, ଏହି କଥା ମଧ୍ୟ ସୀମିତ । ଏକା ନବୀନ ବାବୁ ଜାଣିଥିବେ । ହେଲେ ଆବଶ୍ୟକ ପଡିଲେ ଏହି ରାସ୍ତାରେ ଚାଲିବାକୁ ନବୀନ ବାବୁ ପଛାଇବେନି ।

ହେଲେ ହଠାତ ମନେପଡିଲା, ଆରେ ଏଇ କଂଗ୍ରେସର ଦୁର୍ନୀତି ଆଉ ଶୋଷଣକୁ ବିରୋଧ କରି ପରା ନବୀନ ବାବୁ ରାଜ୍ୟରେ ସରକାର ଗଢିଥିଲେ । ପୁଣି କେମିତି ସେମାନଙ୍କ ହାତ ଧରିବେ? କର‘ନାଟକ’ ସ୍ଥିତିରେ ତ ପୁଣି କଂଗ୍ରେସ ଜେଡିଏସ ହାତ ଧରିଲା ତେଣୁ ରାଜନୀତିରେ ସବୁକିଛି ସମ୍ଭବ । ହେଲେ କଥା ଅସି ଅଟକିବ କିଏ କେତେ ସିଟ ପାଇବ । ଏମିତିରେ ତ ଭଙ୍ଗା ଯୋଡା ରାଜନୀତିରେ ମୋଦି-ଶାହା ଯୋଡି ମାହିର । ତେଣୁ ସେମାନେ କିଛି ବି କରିପାରନ୍ତି । ଆଉ ସେମାନଙ୍କୁ ରୋକିବାକୁ ନବୀନ ମଧ୍ୟ କିଛି ବି କରିପାରନ୍ତି । ଭାଇଙ୍କୁ ଧରି ସଂପର୍କ ସ୍ଥାପନ କରିପାରନ୍ତି ନଚେତ ସିଧା ହାଇକମାଣ୍ଡଙ୍କ ବେଲ୍ ବଜାଇ ପାରନ୍ତି । ସେ ଯାହା ହେଉ, ଅନୁଭବ ଆଜ୍ଞାଙ୍କ ଫିଲ୍ମର ଗୋଟିଏ ଟାଇଟଲ ଏଠି ମନେ ପଡିଯାଉଛି । ଆମ ଭିତରେ କିଛି ଅଛି କି? ହେଲେ ବିଜେଡି-କଂଗ୍ରେସ ପାଇଁ ଫିଲ୍ମର ନାଁ ହେବ ଆମ ଭିତରେ ବହୁତ କିଛି ଅଛି ନଚେତ ହାତ ଧରି ଚାଲୁଥା ।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତି ଜୋର ହେଉଥିବାରୁ ଆପଣଙ୍କୁ ଭିନ୍ନ ଢଙ୍ଗରେ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫