କନକ ବ୍ୟୁରୋ : ଉପକୂଳ ଓଡ଼ିଶା ସମେତ ରାଜ୍ୟର ୨୨ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି ହୋଇଛି। ମେ’ ୨୧ ଓ ୨୨ ତାରିଖରେ ୨୨ଟି ଜିଲ୍ଲାରେ ଝଡ଼ବର୍ଷା ହେବ। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତର ବି ଆଶଙ୍କା ରହିଛି। ବଙ୍ଗୋପସାଗର ଉପକୂଳରେ ପାଗ ଖରାପ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରୁ ନ ଯିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ମେ’ ୨୯ରେ ମୌସୁମୀ କେରଳ ଛୁଇଁବ। ଓଡ଼ିଶାରେ ଜୁନ୍ ୬ ସୁଦ୍ଧା ପହଞ୍ଚିବାର ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ। ମୌସୁମୀ ପହଞ୍ଚିବା ପୂର୍ବରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ୨୫ ତାରିଖଠାରୁ ସାରା ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୨୭ ତାରିଖ ଯାଏ ଲାଗିରହିବ। ପବନର ବେଗ ସେତେଟା ରହିବ ନାହିଁ। କିନ୍ତୁ ତାପମାତ୍ରା ହ୍ରାସ ପାଇବ। ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଆସିବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କରାଯାଇଛି ଯେ ଆସନ୍ତା ୪୮ ଘଣ୍ଟାରେ ସାରା ଓଡ଼ିଶାରେ କାଳବୈଶାଖୀ ହୋଇପାରେ।
କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ନୟାଗଡ଼, ଖୋର୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଦିଆଯାଇଛି। ଅପରାହ୍ନରୁ ପାଗ ଖରାପ ରହିବ। ରାତିରେ କାଁ ଭାଁ ଝଡ଼ବର୍ଷା ବି ହୋଇପାରେ। ୨୩ ଓ ୨୪ ତାରିଖ ବେଳକୁ ଉପକୂଳରୁ କାଳବୈଶାଖୀ କମିବ। କିନ୍ତୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷା ଅଧିକ ହୋଇପାରେ।