ଏନଏଚଏଆଇକୁ ଦୋଷ ଦେଇ ଖସିବାକୁ ବିଏମସି କର୍ତୃପକ୍ଷଙ୍କ ଉଦ୍ୟମ ! ଚିଠି ଦେଇ ଆଗତୁରା ସତର୍କ କରିଥିଲା ନଗର ଉନ୍ନୟନ ବିଭାଗ ।

37

କନକ ବ୍ୟୁରୋ : ସ୍ମାର୍ଟସିଟି ଭୁବନେଶ୍ୱରର ଇସ୍କନ ମନ୍ଦିର ନିକଟରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟା ସ୍ଥିତିକୁ ନେଇ ହଟଚମଟ ଲାଗି ରହିଛି । ଦୋଷ କାହାର ବିଏମସିର ନା ଏନଏଚଏଆଇର, ସେନେଇ ପ୍ରଶ୍ନ ଉଠିଥିବା ବେଳେ ରାଜ୍ୟର ସମସ୍ତ ମ୍ୟୁନିସିପାଲିଟିକୁ ନଗର ଉନ୍ନୟନ ବିଭାଗ ଲେଖିଥିବା ଚିଠିକୁ ନେଇ ଚର୍ଚା ଜୋର ଧରିଛି । ସେପଟେ ଗତକାଲି ଏନଏଚଏଆଇ ଅଫିସରେ ପାଣି ମାଡ କରି ବିକ୍ଷୋଭ କରିଥିବା କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି ।

ପାଣି ଜମିଲା, ପାଣି ଢଳାହେଲା । ରାଜନୀତି ଚାଲିଲା, ହେଲେ ମୂଳ ପ୍ରଶ୍ନର ଉତ୍ତର ଖୋଜାଚାଲିଛି କାମ କିଏ କରିବ ? କିଭଳି ଆଉ ଇସ୍କନ ସାମ୍ନାରେ ପାଣି ଜମିବନି ? ତେବେ ନଗର ଉନ୍ନୟନ ବିଭାଗ ସଚିବ ରାଜ୍ୟର ସମସ୍ତ ମ୍ୟୁନିସିପାଲିଟିକୁ ବର୍ଷା ଦିନ ଆସିବା ପୂର୍ବରୁ ଏକ ଚିଠି ଲେଖିଥିଲେ । ଏଥିରେ ସହରାଞ୍ଚଳରେ ବର୍ଷା ଜଳ ଓ ଏଥିଯୋଗୁ ଯେମିତି ବନ୍ୟା ପରିସ୍ଥିତି ଉପୁଯିବ ନାହିଁ, ତାକୁ ନେଇ ବିଭିନ୍ନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ହେଲେ ଦୁଇ ଦିନ ତଳେ ରାଜଧାନୀର ରାଜପଥର ଅବସ୍ଥା ଯିଏ ଦେଖିଲା ସିଏ ଆଶ୍ଚର୍ଯ୍ୟ ହୋଇଗଲା । ସ୍ମାର୍ଟ ସିଟି ଦୌଡରେ ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ଥିବା ଭୁବନେଶ୍ୱରରେ ଘଂଟାଏ ବର୍ଷା ପରେ ରାସ୍ତାରେ ଭାସୁଥିଲା ଯାନବାହନ । ଆଉ ଏହାକୁ ନେଇ ଆରମ୍ଭ ହୋଇଥିଲା ଦୋଷ ଲଦାଲଦି । ବିଏମସି ଜାତୀୟ ରାଜପଥ ପ୍ରାଧିକରଣକୁ ଦୋଷ ଦେଉଥିବା ବେଳେ ଏନଏଚଏଆଇ, ବିଏମସିକୁ ଦାୟୀ କରୁଛି । କିନ୍ତୁ କନକ ନ୍ୟୁଜ ହାତରେ ଲାଗିଥିବା ଚିଠି ଅନୁସାରେ ପୂର୍ବରୁ ନିର୍ଦ୍ଦେଶ ଥିଲେ ମଧ୍ୟ ବିଏମସିର ବେପରୁଆ ମନୋଭାବ ହିଁ ଏଥିପାଇଁ ସମ୍ପୂର୍ଣ୍ଣ ରୁପେ ଦାୟୀ ବୋଲି ଜଣାପଡିଛି ।

ନଗର ଉନ୍ନୟନ ସଚିବ ଲେଖିଥିବା ଚିଠି ଅନୁସାରେ…

– ଡ୍ରେନଗୁଡିକୁ ତୁରନ୍ତ ସଫା କରିବା ଆବଶ୍ୟକ

– ଡ୍ରେନ ଓ ମ୍ୟାନହୋଲର ମରାମତି ତୁରନ୍ତ ଆବଶ୍ୟକ

– ଡ୍ରେନ ଓ ଜଳ ନିଷ୍କାସନ ପଥରୁ ଜବରଦଖଲ ଉଚ୍ଛେଦ

– ପାଣି ଜମୁଥିବା ସ୍ଥାନକୁ ଚିହ୍ନଟ କରି ଶୀଘ୍ର ଜଳ ନିଷ୍କାସନ ପାଇଁ ବନ୍ଦୋବସ୍ତ

ଏପରି ଅନେକ ପରାମର୍ଶ ଦିଆଯାଇଥିବା ପରେ ବି ରାଜଧାନୀରେ କୃତ୍ରିମ ବନ୍ୟା ତିଆରି ହେବା ବିଏମସିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି । ଏହାରି ଭିତରେ କଂଗ୍ରେସର ବିକ୍ଷୋଭ ଘଟଣା ନେଇଛି ଭିନ୍ନ ମୋଡ । ୩ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ । ହେଲେ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗକୁ ବିଏମସି ଅଫିସରେ ମଧ୍ୟ ସମାନ ଧରଣର ବିକ୍ଷୋଭ ହେବ ବୋଲି ଧମକ ଦେଇଛି ଦଳ । ଦୀର୍ଘ ଦିନରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଏପରି ସମସ୍ୟା ଲାଗି ରହିଥିବା ବେଳେ, ପାଣି ଜମିଲେ ଅଧିକାରୀ ବିଭିନ୍ନ ଯୋଜନା କରିବା କଥା କହିବା ଏବଂ ପରବର୍ତୀ ସମୟରେ କାର୍ଯ୍ୟକାରୀ ନକରିବାର ଫଳ ରାଜଧାନୀବାସୀଙ୍କୁ ଭୋଗିବାକୁ ପଡୁଛି  ।