ଫୁଲବାଣୀ ଟାଉନ ଥାନା ବିଡାଙ୍ଗୀ ସାହିରେ ଅଭାବନୀୟ ଘଟଣା ! ଗୁଣିଆ ସନ୍ଦେହରେ ପୋଲିସ କନେଷ୍ଟବଳଙ୍କୁ ବିଷ୍ଠା ଖୁଆଇ ଲଣ୍ଡା କଲେ ଅନ୍ୟଜଣେ କନେଷ୍ଟବଳ

50

କନକ ବ୍ୟୁରୋ: ଖାକି ସାଜିଲା ଖାକିର ଶତ୍ରୁ । ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ପୋଲିସକୁ ନିର୍ଯାତନା ଦେଲେ ଆଉ ଜଣେ ପୋଲିସ । ଗୁଣିଆ ସନ୍ଦେହରେ ପୋଲିସ କନେଷ୍ଟବଳଙ୍କୁ ବିଷ୍ଠା ଖୁଆଇ ଲଣ୍ଡା କଲେ ଅନ୍ୟଜଣେ କନେଷ୍ଟବଳ । ଏପରି ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବିଡାଙ୍ଗୀ ସାହିରେ ।

ସାହିବାସୀଙ୍କୁ ଗୁଣି କରୁଥିବା ଅଭିଯୋଗ ଆଣି ଚକାପାଦ ବ୍ଲକର ପ୍ରସରା ପାଣ୍ଠିରେ କାର୍ଯ୍ୟରତ କନେଷ୍ଟବଳ ଗୌର ଚନ୍ଦ୍ର କହଁରଙ୍କୁ ଲଣ୍ଡା କରାଯାଇଛି । ଚାଂଚଲ୍ୟକର ଖବର ହେଉଛି ଏହି କାଣ୍ଡ ଭିଆଇଛନ୍ତି ଆଉ ଜଣେ କନେଷ୍ଟବଳ । ଗାଁ ମଣ୍ଡପରେ ସଭା ବସି କନେଷ୍ଟବଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ରାତିସାରା ବାନ୍ଧି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଗୌରଙ୍କୁ ଉଦ୍ଧାର କରି ଗାଁର ୪ ଜଣ ଲୋକଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି ।

ସୂଚନା ମୁତାବକ, ଗତ ଶୁକ୍ରବାର ୮ ତାରିଖ ଦିନ ଅମରେନ୍ଦ୍ର ଭଉଣୀକୁ କୁଆଡ଼େ ରାତିରେ ସ୍ୱପ୍ନ ହେଲା ଗୌରଚନ୍ଦ୍ର ତାକୁ ଗୁଣି ଗାରେଡ଼ି କରିଛି । ସେଥିପାଇଁ ତାର ବାରମ୍ବାର ଦେହ ଖରାପ ହେଉଛି । ଏକଥା ଭାଇ ଅମରେନ୍ଦ୍ରକୁ ଜଣାଇଥିଲା ତାଙ୍କ ଭଉଣୀ । ଅମରେନ୍ଦ୍ର ଭଉଣୀ ଠାରୁ ଏକଥା ଶୁଣିବା ପରେ ସିଧା ଗୌରଚନ୍ଦ୍ରକୁ ଏବିଷୟରେ ପଚାରିଥିଲା । ହେଲେ ଏହାକୁ ଗୌରଚନ୍ଦ୍ର ଅସ୍ୱୀକାର କରିଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏ ବିଷୟରେ ସାହି ଲୋକଙ୍କୁ ଜଣାଇଥିଲେ ଅମରେନ୍ଦ୍ର। ସାହି ଲୋକେ ଏକଜୁଟ ହେଲେ। ସୋମବାର ଦିନ ଗୌରଚନ୍ଦ୍ରଙ୍କୁ ସାହି ମଣ୍ଡପକୁ ଆସିବା ପାଇଁ ଖବର ଦେଇଥିଲେ । ଗତକାଲି ସନ୍ଧ୍ୟା ବେଳେ ଗୌର ପୁଲବାଣୀ ଆସି ରାତିରେ ସାହି ଲୋକଙ୍କ ନିର୍ଦ୍ଦେଶ ପ୍ରକାରେ ମଣ୍ଡପକୁ ଯାଇଥିଲେ। ତାପରେ ଏସଓଜି ଯବାନ ଅମରେନ୍ଦ୍ର ଓ ତାଙ୍କ ସାଥୀ ତାକୁ ଘେରିଯାଇଥିଲେ । ସେଠାରେ କିଛି ସମୟ ମଧ୍ୟରେ କଙ୍ଗାରୁ କୋର୍ଟ ଆରମ୍ଭ ହୋଇଗଲା । ରାତି ସାରା ଚାଲିଲା । ସେଠାରେ ତାଙ୍କୁ ଲଣ୍ଡା କରି ବିଷ୍ଠା ଖୁଆଇ ଗୋବର ପାଣିରେ ଗାଧୁଆ ଯାଇଥିବା ଗୌରଚନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କିଛିମାସ ତଳେ ସଦର ମହକୁମା ଜିଲ୍ଲା ଚିକିତ୍ସାୟରେ ଜଣେ ସାପ କାମୁଡ଼ା ରୋଗୀଙ୍କୁ ବଞ୍ଚାଇବାକୁ ଯାଇ ବେଡ୍ ପାଖରେ କୁକୁଡ଼ା ବଳି ଦିଆ ଯାଇଥିଲା । ସୋମବାର ପୁଣି ମେଡ଼ିକାଲ ପରିସର ୧୦ ନଂ ଓ୍ଵାର୍ଡ଼ରେ ଏକ କୁକୁଡ଼ା ବଳି ଦିଆ ଯାଇଥିବା ଜଣାପଡ଼ିଛି । ତେଣୁ ଏଭଳି ଘଟଣା ଜିଲ୍ଲାରେ ନିତି ଦିନିଆ ହୋଇଥିବା ବେଳେ ପ୍ରଶାସନ ଏହାକୁ ରୋକିବା ଦିଗରେ ତତ୍ପରତା ଦେଖାଉ ନଥିବା ସାଧାରଣରେ ଆଲୋଚନା ହେଉଛି ।