#ଡାହା ମିଛ । ସ୍ମାର୍ଟ ସିଟିର ସ୍ମାର୍ଟ ମେୟର, କିଏ ହେବ ତୁମ ପରି । ଗଳି ଗଳି ଏବେ ଆରମ୍ଭ କର ହେ, ଡଙ୍ଗାଧରି ରାହାଗିରି ।

250

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

ବର୍ଷାକୁ ନେଇ ଅନେକ ଗୀତ ଆପଣ ଶୁଣିଥିବେ । ରୋମାଂଟିକ ଟ୍ରାକ, ସ୍ଲୋ ଟ୍ରାକ୍ । ରିମ୍ ଝିମ ଗିରେ ସାୱନ ଠାରୁ ଆରମ୍ଭ କରି ନେଇଯା’ରେ ମେଘ ମତେ ପର୍ଯ୍ୟନ୍ତ । ବର୍ଷା ଆସିଲେ ଏମିତି କିଛି ଗୀତକୁ ଲଗାଇ ସାଥୀରେ ପକୁଡି ଆଉ ଚା’ ଧରି ପାଗକୁ ଭରପୁର ଉପଭୋଗ କରାଯାଏ । ହେଲେ ଗତ କିଛି ବର୍ଷ ଧରି ବର୍ଷା ଆସିଲେ, ଘରକୁ ପାଣି ମୁକ୍ତ କରିବାକୁ ଯେଉଁ ସୁଯୋଗ ଆପଣଙ୍କୁ ମେୟର ଅନନ୍ତ ଜେନା ଦେଇଛନ୍ତି, ସେଥିପାଇଁ ମହାଶୟଙ୍କୁ ଆଗ ଧନ୍ୟବାଦ ଦେବାର ଆବଶ୍ୟକତା ରହିଛି । ଓହୋ, କି କଥା! ଏତେ ବଡ ସୁଯୋଗ ଆପଣଙ୍କୁ ୧ ନମ୍ବର ସ୍ମାର୍ଟ ସିଟିର ମେୟର ଦେଇଛନ୍ତି, ତାଙ୍କୁ ଟିକେ କୃତଜ୍ଞତା ଜଣାଇବାକୁ ପଛଘୁଂଚା କାହିଁକି ଦେବା ।

ଛାଡନ୍ତୁ, ଭିତରକୁ ଯାଇ ଘାଂଟିବା ଆଗରୁ ବାବୁ ଅନନ୍ତ ଜେନାଙ୍କ ପାଇଁ ଆମ ତରଫରୁ ଗୋଟିଏ କବିତା ଡେଡିକେଟ କରିବାକୁ ଚାହିଁବୁ ।

ତୁମେ ହିଁ ଅନନ୍ତ, ତୁମେ ନାରାୟଣ
ତୁମେ ଆମ ବୁନୁ ଭାଇ
ଘଡିଏ ବର୍ଷାରେ ରାଜଧାନୀ ନାଳେ
ମେଲିଯାଏ କେତେ ଘାଇ ।

କାର ଭାସୁଅଛି ବସ୍ ବି ଭାସୁଛି
ଭାସୁଛି ରୋଷେଇ ହାଣ୍ଡି
ଶୋଇଅଛ ତୁମେ ନିଘୋଡ ନିଦରେ
ମୁଣ୍ଡେ ଦେଇ ତୁଳା ମାଣ୍ଡି ।

ଆପାତତଃ ଆସି ଦେଖିଯାଅ ଥରେ
ରାଜଧାନୀ ଗଳିକନ୍ଦି
ବେସିକାଲି ତୁମ ଯୋଗୁ ହେ କେମିତି
ଆମେ ହେଉ ଜଳବନ୍ଦୀ ।

ସ୍ମାର୍ଟ ସିଟିର ସ୍ମାର୍ଟ ମେୟର
କିଏ ହେବ ତୁମ ପରି
ଗଳି ଗଳି ଏବେ ଆରମ୍ଭ କର ହେ
ଡଙ୍ଗାଧରି ରାହାଗିରି ।

କେଡେ ବଡ କାମ ଆମ ମେୟର ଆଜ୍ଞା କରିଛନ୍ତି ତାଙ୍କ କାର୍ଯ୍ୟକାଳରେ । ପାଣି ଜମାଇ ରଖି ରାଜଧାନୀକୁ ବଡାଇ, ଅଂଟାଏ ଲେଖାଏଁ ପାଣି କରିବା କଣ କମ କଥା । ଖୁବ କଠିନ ପରିଶ୍ରମ କରିଛନ୍ତି ଯାହା କୁହ । ପୁରା ବନ୍ୟା କରିଦେଲେ । ସ୍ଥିତି ଏମିତି ହେଲା ଯେ, ଠାକୁର ବି ବୁଡିଗଲେ । ଏମିତି କେବେ ଆପଣ ଦେଖିନଥିବେ । ଲାଗୁଛି, ଆଗକୁ ମେୟର ମହାଶୟ ନୂଆ ଯୋଜନାଟିଏ ଆରମ୍ଭ କରିବେ । ଏବେ ସିନା ଅଗ୍ନିଶମ ବିଭାଗକୁ ଲଗାଇ ପାଣିରୁ ଉଦ୍ଧାର କଲେ, ଆଗକୁ ଏୟାରଲିଫଟିଂ କରିବାକୁ ନୂଆ ଯୋଜନାଟିଏ ଆରମ୍ଭ କରିବାକୁ ଯାଉଛନ୍ତି । ଖାଲି ତୃତୀୟ ମହଲାକୁ ଫାଇଲ ପଠାଇଥିବାର ଆମେ ଖବର ପାଇଲୁ । ଅନୁମୋଦନ ମିଳିଲେ ଅଂଟାଏ ବଦଳରେ ବେକେ ଯାଏଁ ପାଣି ଜମାଇବାର ବ୍ୟବସ୍ଥା କରିବେ ଅନନ୍ତ ବାବୁ ଆଉ ଲୋକଙ୍କୁ ଏୟାରଲିଫଟ କରିବାକୁ ମହାଶୟ ଆମର ଉଦ୍ୟମ କରିବେ । ସ୍ମାର୍ଟ ମେୟରଟି, ଖେଳ ପୁରା ଅଲଗା ପ୍ରକାରରେ ହେବ ନା ।

ଆଉ କଣ ଲେଖିବା ମହାଶୟଙ୍କର କୃତୀତ୍ୱ ବାବଦରେ । ଯେତେ ଲେଖିଲେ କମ ପଡିବ । ପୁରୁଣା କିଛି କଥା ଲେଖିବାକୁ ହାତ ଯାଉଥିଲା, ହେଲେ ପୁଣି ସେପଟରୁ ଜବାବ ଆସିବ, ସେହି ବ୍ୟକ୍ତି ମୁଁ ନୁହେଁ, ତାର ଆକାର ଅଲଗା, ମୋର ଆକାର ଅଲଗା । ଏତେ କାଦୁଅକୁ କାହିଁକି ଯିବା, ପିଚୁ ରାସ୍ତା ଉପରେ ଗାଡି ଦଉଡାଇ ପଳାଇବା । ନହେଲେ ସ୍ମାର୍ଟ ସିଟିରେ ମେୟରଙ୍କ ଲୋକ ଆଉ ରଖାଇଦେବେନି । ଭାବୁଛି କବିତାଟି ଆଦୃତ ହେବ । ଆଉ ଅନନ୍ତ ବାବୁଙ୍କ କାର୍ଯ୍ୟ ମଧ୍ୟ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବ ।

ବିଏମସି ଅଫିସ ଭଲ ଲାଗୁ ନାହିଁ
ବିଧାନସଭାରେ ଲାଖିଛି ଆଖି
ସପନ ଦେଖୁଛି ଉଡିଯିବ ଦିଲ୍ଲୀ
ହେଇଯିବ ଯଦି ସାଂସଦ ପକ୍ଷୀ
ଉଣେଇଶି ପରା ଆସୁଛି,
ଭୁବନେଶ୍ବରଟା ଭାସିଯାଉ ପଛେ
ବୁନୁ ଭାଇ ଆମ ହସୁଛି ।

ଯାଉ ଯାଉ ଟିକେ ପୁରୀ ଆଡେ ମଧ୍ୟ ଯିବା । ଆଉ କିଛି ଲାଇନ ବାହୁଡା ଆଗରୁ ଲେଖିବା । ନବକଳେବର ବେଳେ ଯୋଉ କାମ ହେଇଥିଲା, ତାହା ପୁରୀକୁ ପୁରା ସତେଜ କରି ରଖିଛି । ଟିକିଏ ବି ପାଣି ଜମୁନି । ଏଇ ହାଲକା ଅଂଟା ଯାଏଁ ସିନା ହେଉଛି, ତାଠାରୁ ଅଧିକ ଯାଉନି । ବାହୁଡା ଆଗରୁ ପୁରୀ ବାବଦରେ କିଛି ଲାଇନ ଲେଖିବାକୁ ହାତ ପଳେଇଲା । ଦେହକୁ ବିଲକୁଲ ନେବେି । ହେ ପଦେଭୁ ଜଗନ୍ନାଥ ଭୁଲ ଥିଲେ କ୍ଷମା କରିବ ।

ପହଣ୍ଡି ହେବ ନା ପହଁରି ଆସିବ
ପୁରୀରେ ଭାବୁଛି ଜଗା
ନହେଲେ ମହିଆ ନନାକୁ କହିକି
ମଗେଇବ ଗୋଟେ ଡଙ୍ଗା ।

ଲାଇଫ ଜ୍ୟାକେଟ ନାହିଁ ବୋଲି କାଳେ
ଡଙ୍ଗା ବୁଡିଯିବ ଡରୁଛି
କୋଣାର୍କ ଚକରୁ ଟ୍ୟୁବକୁ ଖୋଲି
ସମୁଦ୍ର ହାଉଆ ଭରୁଛି ।

ଦେହକୁ ବିଲକୁଲ ନେବେନି । ହେ ପ୍ରଭୁ ଜଗନ୍ନାଥ ଭୁଲ ଥିଲେ କ୍ଷମା କରିବ ।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତି ଜୋର ହେଉଥିବାରୁ ଆପଣଙ୍କୁ ଭିନ୍ନ ଢଙ୍ଗରେ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫