ଗୁପ୍ତଚର ସୂଚନା ଆଧାରରେ ସରକାରଙ୍କ ବଡ ନିଷ୍ପତ୍ତି, ଗୌତମ ଆଦାନୀଙ୍କୁ ଯୋଗାଇ ଦେଲେ ଜେଡ ସୁରକ୍ଷା

416

କନକ ବ୍ୟୁରୋ : ଆଦାନୀ ଗ୍ରୁପର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠାରୁ ଧନୀବ୍ୟକ୍ତି ଗୌତମ ଆଦାନୀଙ୍କୁ କେନ୍ଦ୍ର ସରକାର ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ସୂଚନା ମୁତାବକ ଇଣ୍ଟେଲିଜେନ୍ସ ବ୍ୟୁରୋର ସୂଚନା ଆଧାରରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଗୌତମ ଆଦାନୀଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ସବୁଠାରୁ ବଡ କଥା କି ଏହି ଜେଡ ପ୍ଲସ ସୁରକ୍ଷା ପାଇଁ ଯାହା ଖର୍ଚ୍ଚ ହେବ ତାହା ଗୌତମ ଆଦାନୀ ବହନ କରିବେ ।

ଆପଣଙ୍କୁ କହିରଖୁ କି କେବଳ ଗୌତମ ଆଦାନୀ ନୁହଁନ୍ତି ଏହା ପୂର୍ବରୁ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ହେଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କୁ ଯୋଗାଇ ଦିଆଯାଇଥିବା ଜେଡ୍ ପ୍ଲସ ସୁରକ୍ଷା ବଳବତ୍ତର ରହିଛି । ଗୌତମ ଆଦାନୀଙ୍କ ଭଳି ମୁକେଶ ଓ ନୀତା ଆମ୍ବାନୀ ମଧ୍ୟ ଏହି ଜେଡପ୍ଲସ ସୁରକ୍ଷାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ଜେଡ ପ୍ଲସ ସୁରକ୍ଷାରେ ମୋଟ ୩୦ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥାନ୍ତି ।

କେବଳ ଏମାନେ ନୁହଁନ୍ତି ରିଲିଆନ୍ସ ଇଣ୍ଡଷ୍ଟ୍ରୀଜର ଜାମନଗର ସ୍ଥିତ ରିଫାଇନାରୀ ଫ୍ୟାକ୍ଟ୍ରିର ସୁରକ୍ଷା ଦାୟୀତ୍ୱ ମଧ୍ୟ ସିଆଇଏସଏଫ ହାତକୁ ଦିଆଯାଇଛି । କହିରଖୁ କି ମୁକେଶ ଅମ୍ବାନୀ ନିଜର ସୁରକ୍ଷା ପାଇଁ ପ୍ରତିମାସ ୧୬ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି ।