ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା । ଅଭିଯୁକ୍ତ ଶଳାକୁ ଅଟକ ରଖି ପୋଲିସର ପଚରାଉଚରା

135

କନକ ବ୍ୟୁରୋ : ଭିଣୋଇକୁ ହାଣିଲା ଶଳା । ମୃତକ ଜଣକ ସୁଶାନ୍ତ ଘଡେଇ ବୋଲି ଜଣାପଡିଛି । କାଲି ରାତିରେ ଭୁବନେଶ୍ୱର ଧିରକୁଟ ବସ୍ତିରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନାର ଧିରକୁଟ ବସ୍ତିରେ ରହୁଥିବା ଭିଣୋଇକୁ ଖଣ୍ଡାରେ ଶଳା ହାଣିଥିଲା । ଫଳରେ ଘଟଣାସ୍ଥଳରେ ଭିଣୋଇର ମୃତ୍ୟୁ ହୋଇଥିଲା । ମୃତକର ନାମ ସୁଶାନ୍ତ ଘଡେଇ । ସେ ବିମାନବନ୍ଦରରେ ସୁଇପର ଭାବେ କାମ କରୁଥିଲା । ମୃତକର ପରିବାର ମଞ୍ଚେଶ୍ୱର ଥାନା ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ରେ ସୁଶାନ୍ତ ଭଲ ପାଇ ବାପୁନି ନାୟକର ଭଉଣୀକୁ ବାହା ହୋଇଥିଲା । କିନ୍ତୁ ବାହାଘର ବେଳେ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ସ୍ତ୍ରୀକୁ ବି ମାରଧର କରୁଥିଲା ସୁଶାନ୍ତ ।  ଏହାଛଡ଼ା ଉଭୟଙ୍କ ଭିତରେ ଜମିଜମା ବିବାଦ ବି ଥିଲା ।  କାଲି ରାତିରେ ସେ ଶୋଇଥିବା ବେଳେ ଶଳା ବାପୁନି ନାୟକ ଧାରୁଆ ଅସ୍ତ୍ରରେ ଭିଣୋଇ ସୁଶାନ୍ତକୁ ହତ୍ୟା କରିଛି। ମଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତ ବାପୁନି ନାୟକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି ।