ଟିପିଏନଓଡିଏଲକୁ ‘ଓଡ଼ିଶା ବେଷ୍ଟ ଏମ୍ପ୍ଲୋୟର୍ ବ୍ରାଣ୍ଡ’ ସମ୍ମାନ

50

କନକ ବ୍ୟୁରୋ: ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ର ଗୁଣାତ୍ମକ କର୍ମଚାରୀ ପରିଚାଳନା ପଦ୍ଧତିକୁ ମିଳିଛି ଆଉ ଏକ ସ୍ବୀକୃତି। କର୍ମଚାରୀମାନଙ୍କୁ କାର୍ୟ୍ୟ କ୍ଷେତ୍ରରେ ଉନ୍ନତମାନର ସୁବିଧା ଯୋଗାଇବା ପାଇଁ ଟିପିଏନଓଡିଏଲକୁ ଶ୍ରେଷ୍ଠ ନିୟୋଜକ ସମ୍ମାନ(ଓଡ଼ିଶା ବେଷ୍ଟ ଏମ୍ପ୍ଲୋୟର୍ ଆୱାର୍ଡ଼)ରେ ସମ୍ମାନିତ କରାଯାଇଛି। ‘ୱାର୍ଲ୍ଡ ଏଚଆରଡି କଂଗ୍ରେସ’ ପକ୍ଷରୁ ଭୁବନେଶ୍ବରର ସାଣ୍ଡି ଟାୱାରଠାରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ଟିପିଏନଓଡିଏଲକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଟିପିଏନଓଡିଏଲ ପକ୍ଷରୁ ଚିଫ ଅପରେସନ ନିଲେଶ ପୋଟଫଡେ, ଏଚଆର ଏଜିଏମ ଚିନ୍ମୟ ରଥ, ଏଚଆର ବିଭାଗୀୟ ମୁଖ୍ୟ ଷ୍ଟିଫେନ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ଏହାକୁ ଗ୍ରହଣ କରିଥିଲେ । ଏହାକୁ ନେଇ ଟିପିଏନଓଡିଏଲ ସିଇଓ ଦ୍ୱିଜଦାସ ବସକ ଖୁସି ବ୍ୟକ୍ତ କରିବା ସହ ଏହି ସଫଳତା ଆମ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ କାର୍ୟ୍ୟ ଦକ୍ଷତା ବୃଦ୍ଧି କରିବା ଦିଗରେ ଅଧିକ ପ୍ରେରଣା ଦେବ ବୋଲି କହିଛନ୍ତି। ସୂଚନା ମୁତାବକ ନିକଟରେ ଟିପିଏନଓଡିଏଲକୁ ଗ୍ରେଟ ପ୍ଲେସ ଟୁ ୱାର୍କ ସମ୍ମାନ ମଧ୍ୟ ମିଳିଛି। ମାତ୍ର ୩ ବର୍ଷର ଏହି ସଂସ୍ଥା ନିଜର ଗୁଣବତ୍ତା ସେବା ଓ କର୍ମଚାରୀଙ୍କୁ ମୌଳିକ ଭିତ୍ତିଭୂମି ଯୋଗାଇ ଏହି ସମ୍ମାନର ଅଧିକାରୀ ହୋଇପାରିଛି। ନିଜର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଦିଗରେ ଟିପିଏନଓଡିଏଲ ଗୁରୁତ୍ଵ ଦେବା ସହ କର୍ମଚାରୀଙ୍କୁ କାର୍ୟ୍ୟ କରିବା ପାଇଁ ସୌହାର୍ଦ୍ୟପୂର୍ଣ୍ଣ ପରିବେଶ ଓ ସାମାଜିକ ବିକାଶ ମୂଲ୍ୟବୋଧକୁ ମଧ୍ୟ ଗୁରୁଦାୟିତ୍ଵ ସହ ବହନ କରୁଛି।