ରୋହିତ ବେମୁଲା ମୃତ୍ୟୁ ମାମଲା : ଶେଷ ରିପୋର୍ଟ ଦାଖଲ ପରେ ବି ତେଲେଙ୍ଗାନା ପୋଲିସ ଜାରି ରଖିବ ଯାଂଚ, ଜାଣନ୍ତୁ କାରଣ

70

କନକ ବ୍ୟୁରୋ : ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ରୋହିତ ବେମୁଲାଙ୍କ ମୃତ୍ୟୁ ମାମଲାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ରୋହିତଙ୍କ ପରିବାର ଲୋକେ ତାଙ୍କୁ ନ୍ୟାୟ ଦାବି କରି ପୁଣି ଆଗକୁ ଆସିଛନ୍ତି । ସେପଟେ ତେଲେଙ୍ଗାନା ପୋଲିସ ମଧ୍ୟ ଯାଂଚ ଜାରି ରଖିବା ନେଇ ସୂଚନା ଦେଇଛି । ତେଲେଙ୍ଗାନା ପୋଲିସ ଡିଜିପି ରବି ଗୁପ୍ତା କହିଛନ୍ତି କି, ମୃତକଙ୍କ ମା ଓ ଭାଇଙ୍କର କିଛି ଲୋକଙ୍କ ଉପରେ ସନ୍ଦେହ ରହିଛି । ତେଣୁ ଯାଂଚ ଆଗକୁ ଜାରି ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଏହି ମାମଲାର ଅନ୍ତିମ ଚାର୍ଜସିଟ ନଭେମ୍ବର ୨୦୨୩ ଯାଂଚ ଆଧାରରେ ପ୍ରସ୍ତୁତ କରାଯାଇଥିଲା   । ଏହି ରିପୋର୍ଟକୁ ଯାଂଚ ଅଧିକାରୀଙ୍କ ଦ୍ୱାରା ୨୦୨୪ ମାର୍ଚ୍ଚ ୨୧ ତାରିଖରେ ଅଦାଲତକୁ ହସ୍ତାନ୍ତର କରାଯାଇଥିଲା ।

ତେଲେଙ୍ଗାନା ପୋଲିସ ତାର ଅନ୍ତିମ ରିପୋର୍ଟରେ ଉଲ୍ଲେଖ କରିଛି କି, ରୋହିତ ବେମୁଲା ଦଳିତ ନଥିଲେ । ତେଣୁ ନିଜର ଅସଲ ପରିଚୟ ସାମ୍ନାକୁ ଆସିବା ଭୟରେ ସେ ଆତ୍ମହତ୍ୟା କରିଥିଲେ । ପ୍ରମାଣ ଅଭାବ ଦର୍ଶାଇ ତେଲେଙ୍ଗାନା ପୋଲିସ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ କ୍ଲିନଚିଟ୍ ଦେଇଥିଲେ ।

ସେପଟେ ଅନ୍ତିମ ରିପୋର୍ଟକୁ ବିରୋଧ କରି ରୋହିତଙ୍କ ପରିବାର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି । ରୋହିତଙ୍କ ଭାଇ ରାଜ ବେମୁଲା କହିଛନ୍ତି କି, ତାଙ୍କ ପରିବାର ଅନୁସୂଚିତ ଜାତିର କି ନୁହେଁ ତାହା ଜିଲ୍ଲାପାଳ ନିଷ୍ପତ୍ତି ନେବେ ।

ଏହାକୁ ନେଇ ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭରସିଟିର କଂଗ୍ରେସର ଛାତ୍ରଶାଖା ସହ ବାମଦଳର ସମସ୍ତ ଛାତ୍ର ଶାଖା ବିରୋଧ ପ୍ରଦର୍ଶନ କରିଛନ୍ତି । ସେପେଟ ବିଜେପିର ପୂର୍ବ ବିଧାନ ପରିଷଦ ସଭ୍ୟ ରାମଚନ୍ଦ୍ର ରାଓ କହିଛନ୍ତି କି, ଏହି ମାମଲା ସହ ବିଜେପିକୁ ଯୋଡି କଂଗ୍ରେସ ଓ ବାମଦଳ ରାଜନୈତିକ ଲାଭ ଉଠାଇବାକୁ ଚାହୁଁଛନ୍ତି ।