ବିଜେପିରେ ସାମିଲ ହେଲେ ଅରବିନ୍ଦର ସିଂହ ଲଭଲି । ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଦେଇଥିଲେ ଇସ୍ତଫା ।

64

କନକ ବ୍ୟୁରୋ: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଅରବିନ୍ଦର ସିଂହ ଲଭଲି । ଦୀର୍ଘ ଦିନର ଚର୍ଚ୍ଚା ଆଲୋଚନା ପରେ ଆଜି ପଦ୍ମ ଶିବିରରେ ସାମିଲ ହେଇଛନ୍ତି ଏହି କଂଗ୍ରେସ ନେତା । ଖାଲି ସେତିକି ନୁହେଁ, ତାଙ୍କ ସହିତ କଂଗ୍ରେସ ନେତା ରାଜକୁମାର ଚୌହାନ, ଅମିତ ମଲିକ, ନସୀବ ସିଂହ ଏବଂ ନୀରଜ ବସୋୟା ମଧ୍ୟ ପଦ୍ମ ଧରିଛନ୍ତି । ଅରବିନ୍ଦର ସିଂହ ଲଭଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଏବଂ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଇଛନ୍ତି ।

ବିନୋଦ ତାୱଡେ କହିଛନ୍ତି, ରାୟବରେଲୀରେ ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟର ଲାଗିଥିଲା, କଂଗ୍ରେସ କାର୍ଯ୍ୟକର୍ତ୍ତା ଚାହୁଁଥିଲେ କି, ସେଠାରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢନ୍ତୁ । ହେଲେ ରାହୁଲ ଗାନ୍ଧୀ କିନ୍ତୁ ରାୟବରେଲୀରୁ ନାମାଙ୍କନ ଦାଖଲ କଲେ । ପିଏମ୍ ମୋଦୀଙ୍କ ନାରା ହେଉଛି ବେଟୀ ବଚାଓ, ବେଟୀ ପଢାଅ । ହେଲେ କଂଗ୍ରେସର ନାରା ହେଉଛି ବେଟା ବେଚାଓ, ବେଟା ବଢାଅ । ଏହିଭଳି ରାଜନୀତିରୁ ବୀତସ୍ପୃହ ହେଇ ଅରବିନ୍ଦର ସିଂହ ଲଭଲି ବିଜେପିରେ ସାମିଲ ହେଇଛନ୍ତି ବୋଲି ସେ କହିଥିଲେ ।

ଅନ୍ୟପଟେ ବିଜେପିରେ ସାମିଲ ହେବା ପରେ ଅରବିନ୍ଦର ସିଂହ ଲଭଲି କହିଛନ୍ତି, ଆପଣ ଜାଣିଛନ୍ତି ମୁଁ କେଉଁଭଳି ପରିସ୍ଥିତିରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲି । ପଦରୁ ଇସ୍ତଫା ଦେବା ପରେ ମୁଁ ଘରେ ରହିବାକୁ ନିଷ୍ପତ୍ତି ନେଇଥିଲି । ହେଲେ ଆମ ସମର୍ଥକ ମୋତେ ତାହା କରିବାକୁ ମନା କରିଥିଲେ । ତା ସହିତ ଦିଲ୍ଲୀ ପାଇ ଲଢିବାକୁ ତାଙ୍କ ସମର୍ଥକ ତାଙ୍କୁ କହିଥିବା କହିଛନ୍ତି ଅରବିନ୍ଦର ସିଂହ ଲଭଲି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଅରବିନ୍ଦର ସିଂହ ଲଭଲି । ଏହାପରେ ସେ କେଉଁ ଦଳରେ ସାମିଲ ହେବେ ସେନେଇ ଚର୍ଚ୍ଚା ହେଉଥିଲା । ଆଉ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି ଶେଷରେ ବିଜେପିରେ ସାମିଲ ହେଇଛନ୍ତି ଅରବିନ୍ଦର ।