ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବକୁ ୨୦୦ରୁ ଅଧିକ ବିଶିଷ୍ଠ ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ତାଲିକାରେ ରହିଛନ୍ତି ସୋନିଆ ଗାନ୍ଧୀ ଓ ଅଖିଳେଶ

744

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ବିଜେପିର ବିପୁଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ହୋଲି ପରେ ଚଳିତ ମାସ ୨୧ ତାରିଖରେ ଯୋଗୀ ଆଦିତ୍ୟନାଥ ଶପଥ ନେଇପାରନ୍ତି ବୋଲି ଆକଳନ କରାଯାଇଛି । ଏହି ଶପଥଗ୍ରହଣ ଉତ୍ସବକୁ ଆକର୍ଷିତ କରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ଉତ୍ସବ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୈର ଅଟଳ ବିହାରୀ ବାଜପେଇ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

କୁହାଯାଉଛି କି, ଏହି ଶପଥ ଗ୍ରହଣ ଉତ୍ସବରେ ୪୫ ହଜାର ଲୋକ ସାମିଲ ହେବେ । ଏହାସହ ୨୦୦ ଅଧିକ ବରିଷ୍ଠ ଲୋକଙ୍କର ଏକ ସୂଚୀ ପ୍ରସ୍ତୁତ କରାଯାଇଛି । ଏହି ସୂଚୀରେ ବିରୋଧୀଦଳ ନେତା ଅଖିଳେଶ ଯାଦବ, ସୋନିଆ ଗାନ୍ଧୀ, ପ୍ରିିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ମୁଲାୟମ ସିଂ ଯାଦବ, ମାୟାବତୀଙ୍କ ସମେତ ଅନେକ ନେତାଙ୍କୁ ନିମନ୍ତ୍ରଣ ପଠାଯିବ । ଏହାସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରୁ ଲାଭ ପାଇଥିବା କିଛି ହିତାଧିକାରୀଙ୍କୁ ଏହି ଶପଥ ସମାରୋହ ପାଇଁ ନିମନ୍ତ୍ରଣ କରାଯିବ ବୋଲି କୁହାଯାଉଛି ।

ସେପଟେ ଯେଉଁ ସ୍ଥାନରେ ଶପଥ ଗ୍ରହଣ ସମାରୋହ ହେବ ତାହାକୁ ନେଇ ଏବେଠାରୁ ରାଜନୀତି ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି କି ସମାଜବାଦୀ ପାର୍ଟି ନିର୍ମାଣ କରିଥିବା ଷ୍ଟାଡିୟମ ବ୍ୟତୀତ ଯୋଗୀଙ୍କୁ ଶପଥ ନେବା ପାଇଁ ଅନ୍ୟ କୌଣସି ସ୍ଥାନ ମିଳିନାହିଁ ।