ରାତାରାତି କୋଟିପତି ହେବାର ନିଶା ନେଲା ଜୀବନ । ଋଣ ଭାରରେ ବୁଡ଼ି ଜୀବନ ହାରିଦେଲେ ଯୁବକ ।

297

କନକ ବ୍ୟୁରୋ : ରାତାରାଜି କୋଟିପତି ହେବା ନିଶାରେ ଜୀବନ ହାରିଲେ ଯୁବ ଇଞ୍ଜିନିୟର । ପୁଣେ ସ୍ଥିତ ଇନଫୋସିସରେ ସିଷ୍ଟମ ଇଂଜିନିୟର ଭାବେ ଚାକିରି କରୁଥିବା ବାଲେଶ୍ୱର ଆମ୍ବିଳିଅଠା ଗାଁର ସୌମିତ୍ର ନନ୍ଦୀ ଗତ ଦୁଇ ବର୍ଷ ହେଲା ଘରେ ରହି କାମ କରୁଥିଲେ । ଏହି ସମୟରେ ସୌମିତ୍ର ଅନ୍ ଲାଇନ୍ ଟ୍ରେଡିଂ ଓ ଜୁଆ ପ୍ରତି ଆକର୍ଷିତ ହୋଇ ଲକ୍ଷାଧିକ ଟଙ୍କା ହରାଇଥିଲେ । ଏବଂ ଏହା ହିଁ ତାଙ୍କ ପାଇଁ କାଳ ପାଲଟିଥିଲା । କୌଣସି ଉପାୟ ନପାଇ ମାନସିକ ଚାପଗ୍ରସ୍ତ ହୋଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

(ବାପା ମୋତେ କ୍ଷମା କରିଦେବ, ମୁଁ ତୁମକୁ ଖୁସି ଦେଇପାରିଲିନି, ମୋ ଜୀବନରେ ଏମିତି ଘଟିବ ବୋଲି ଭାବିନଥିଲି)

ରାତାରାତି କୋଟିପତି ହେବାର ନିଶା ନେଲା ଜୀବନ । ଋଣ ଭାରରେ ବୁଡ଼ି ଜୀବନ ହାରିଦେଲେ ଯୁବକ । ଅନଲାଇନ ଗେମ୍ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢ଼ୁଥିବା ବେଳେ ଅନଲାଇନ ଗେମ୍ ଯେ କେତେ ସାଂଘାତିକ ହୋଇପାରେ, ଜଳେଶ୍ୱରର ଜଣେ ଇଞ୍ଜିନିୟରଙ୍କ ଆତ୍ମହତ୍ୟା, ତାହା ସତର୍କ କରିଦେଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ନଛିମପୁର ପଂଚାୟତ ଆମ୍ବିଳିଅଠା ଗାଁର ସୂରୂପ କୁମାର ନନ୍ଦୀଙ୍କ ପୁଅ ସୌମିତ୍ର ନନ୍ଦୀ । ପୁଣେ ସ୍ଥିତ ଇନଫୋସିସରେ ସିଷ୍ଟମ ଇଂଜିନିୟର ଭାବେ ଚାକିରି କରୁଥିଲେ । କୋଭିଡ ଯୋଗୁଁ ଦୁଇ ବର୍ଷ ହେବ ଘରୁ ରହି କାମ କରୁଥିବା ସୌମିତ୍ର ଅନଲାଇନ୍ ଟ୍ରେଡିଂ ଓ ଜୁଆ ପ୍ରତି ଆକର୍ଷିତ ହୋଇ ପଇସା ଲଗାଇଥିଲେ । ହେଲେ ଏଥିରେ ଟଙ୍କା ହରାଇଥିଲେ, ଆଉ ସାଙ୍ଗସାଥୀଙ୍କ ଠାରୁ ଧାର ଆଣିଥିଲେ । ପ୍ରାୟ ୫୦ ଲକ୍ଷ ଟଙ୍କା ରୁଣ ଭାରରେ ବୁଡ଼ିଯାଇଥିଲେ ସୌମିତ୍ର । ଏଥିରୁ ଜମି ବିକି ତାଙ୍କ ବାପା ପ୍ରାୟ ୨୦ ଲକ୍ଷ ଟଙ୍କା ଶୁଝିଦେଇଥିଲେ ।

ଆତ୍ମହତ୍ୟା ପୂର୍ବରୁ ନିଜ ପରିବାର ଲୋକଙ୍କ ସହ ଜଳେଶ୍ୱର ଥାନା ଆଇଆଇସିଙ୍କୁ ଚିଠି ଲେଖିଛନ୍ତି ସୌମିତ୍ର । ଏହି ଚିଠିରେ ସେ ଟଙ୍କା ଧାର ନେଇଥିବା କଥା ମାନିଛନ୍ତି । ଗତ ୧୧ ତରିଖରେ ସୌମିତ୍ରଙ୍କ ନାଁରେ ଭୁବନେଶ୍ୱରର ଜଣେ ଯୁବକ ଥାନାରେ ଟଙ୍କା ଧାର ନେଇ ଫେରାଉନଥିବା ଅଭିଯୋଗ କରିଥିଲେ । ଏହାପରେ ଜଳେଶ୍ୱର ପୁଲିସ ସୌମିତ୍ରଙ୍କୁ ଥାନାକୁ ଡାକିବା ସହିତ ତାଙ୍କ ମୋବାଇଲ ଓ ଲାପଟପ ଜବତ କରିଥିଲା । ଥାନାରୁ ଫେରିବା ପରେ ସୌମିତ୍ର ମାନସିକ ଚାପଗ୍ରସ୍ଥ ଥିଲେ । ମଙ୍ଗଳବାର ସକାଳେ ବିଷ ପିଇ ଦେଇଥିଲେ ସୌମିତ୍ର । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଜଳେଶ୍ୱର, ପରେ ବାଲେଶ୍ୱର ଏବଂ କଟକ ଏସସିବିକୁ ଅଣାଯାଇଥିଲେ ବି ବଞ୍ଚାଯାଇପାରିନଥିଲା ।