ଉଛୁଳୁଛି ଯମୁନା ନଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି । ଶାହାଙ୍କୁ ଚିଠି ଲେଖିଲେ କେଜ୍ରିୱାଲ ।

189

କନକ ବ୍ୟୁରୋ : ଦିଲ୍ଲୀରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା କାରଣରୁ ଏବେ ଜଳମଗ୍ନ ଦିଲ୍ଲୀର ଅଧିକାଂଶ ଅଞ୍ଚଳ । ଯେଉଁଥିପାଇଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଭିତରେ ଯମୁନା ନଦୀରେ ଜଳସ୍ତର ବଢିବା ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇ ଦେଇଛି । କେଉଁଠି ଜନବସତିରେ ପାଣି ପଶିଲାଣି ତ ପୁଣି କେଉଁଠି ରାସ୍ତା ଉପରେ ପାଣିର ସୁଅ ବହିଲାଣି । ଏପରିକି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ପାଖାପାଖି ମଧ୍ୟ ବନ୍ୟା ପାଣି । କେବଳ ଏତିକି ନୁହେଁ ଦିଲ୍ଲୀ ବିଧାନସଭା ଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି ବନ୍ୟା ପାଣି ।

୧୯୭୮ ପରେ ପ୍ରଥମଥର ପାଇଁ ଯମୁନା ନଦୀର ଜଳସ୍ତର ୨୦୭ ମିଟର ଉପରକୁ ଉଠିଛି । ଯେଉଁଥିପାଇଁ ଦିଲ୍ଲୀର ତଳି ଅଞ୍ଚଳରେ ପାଣି ଜମିବା ଆରମ୍ଭ ହୋଇଛି । ଯମୁନା ନଦୀରେ ଜଳସ୍ତର ବୃଦ୍ଧି ଏବେ ଦିଲ୍ଲୀ ପାଇଁ ସଙ୍କଟ ସାଜି ଉଭା ହୋଇଛି । ଯେଉଁଥିପାଇଁ ଜରୁରୀକାଳୀନ ବୈଠକ ଡକାଇ ଲୋକଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ଯମୁନା ନଦୀର ଜଳସ୍ତର ୨୦୮.୪୬ ମିଟର ଉପରେ ପହଞ୍ଚିଛି । ଜଳସ୍ତର ବୃଦ୍ଧି କାରଣରୁ ଯୁମନା ନଦୀର ପାଶ୍ୱର୍ବର୍ତ୍ତୀ ରାସ୍ତା ଗୁଡିକ ଜଳମଗ୍ନ ହୋଇଛି । ତେଣୁ ଏହି ସବୁ ରାସ୍ତାକୁ ନ ଆସିବାକୁ ସମସ୍ତଙ୍କୁ ଅନୁରୋଧ । ଯେଉଁ ଅଞ୍ଚଳରେ ବନ୍ୟା ପାଣି ପଶିଛି ସେଠାରୁ ଲୋକଙ୍କୁ ଉଦ୍ଧାର କରୁଛୁୂ । ଲୋକଙ୍କ ଜୀବନ ରକ୍ଷା କରିବା ଆମର ସବୁଠୁ ବଡ ପ୍ରାଥମକିତା । ଦିଲ୍ଲୀବାସୀଙ୍କୁ ଅନୁରୋଧ, ଏଭଳି ସମୟରେ ପରସ୍ପରକୁ ସହଯୋଗ କରନ୍ତୁ ।

ଏସବୁ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ହାଥିନି କୁଣ୍ଡ ବ୍ୟାରେଜ ଖୋଲିବା ଦ୍ୱାରା ଯମୁନା ନଦୀରେ ଅଧିକ ପାଣି ପ୍ରବାହିତ ହେଉଛି । ତେଣୁ ହାଥିନୀ କୁଣ୍ଡରୁ ଜଳପ୍ରବାହ ଟିକେ କମିଲେ ଦିଲ୍ଲୀ ଉପରକୁ ସେତେଟା ସଙ୍କଟ ଆସିବ ନାହିଁ । ହାଥିନୀ କୁଣ୍ଡରୁ ଜଳ ଛାଡିବା ଜରୁରୀ କିନ୍ତୁ ଏହାର ପ୍ରବାହକୁ କିଛି ମାତ୍ରାରେ ହ୍ରାସ କଲେ ଯମୁନା ନଦୀର ଜଳସ୍ତର ଆଉ ଅଧିକ ଉପରକୁ ଯିବ ନାହିଁ । ଯାହାଦ୍ୱାରା ବନ୍ୟା ସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ । ତେବେ କେନ୍ଦ୍ର ପକ୍ଷରୁ ଜବାବ ଦେଇ ମନ୍ତ୍ରୀ କହିଛନ୍ତି, ହାଥିନୀ କୁଣ୍ଡ କେବଳ ଗୋଟିଏ ବ୍ୟାରେଜ । ଏଠାରେ ପାଣି ଅଟକାଇବାର ବ୍ୟବସ୍ଥା ନାହିଁ । ତେବେ ହିମାଚଳପ୍ରଦେଶରୁ ଆସୁଥିବା ଜଳପ୍ରବାହ କମ ହୋଇଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ।